ଭୁବନେଶ୍ବର: କିସ୍ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ୍ ଆସେସ୍ମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍ କାଉନ୍ସିଲ୍ (ନାକ୍) ପକ୍ଷରୁ ‘ଏ’ ଗ୍ରେଡ଼ ମାନ୍ୟତା ପ୍ରଦାନ କରାଯାଇଛି। କିସ୍ ବିଶ୍ୱବିଦ୍ୟାଳୟ ପ୍ରଥମ ଥର ନାକ୍ର ‘ଏ’ ଗ୍ରେଡ଼ ମାନ୍ୟତା ପାଇଛି। ଦେଶର କୌଣସି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ପ୍ରଥମ ଥରରେ ନାକ୍ର ‘ଏ’ ଗ୍ରେଡ଼ ମାନ୍ୟତା ପାଇବା କ୍ଷେତ୍ରରେ କିସ୍ ବିଶ୍ୱବିଦ୍ୟାଳୟ ହେଉଛି ପ୍ରଥମ ଶିକ୍ଷାନୁଷ୍ଠାନ। ୨୦୧୭ ମସିହାରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ କିସ୍କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଥିଲା। କିସ୍ ବିଶ୍ୱବିଦ୍ୟାଳୟକୁ ପ୍ରଥମ ଥର ନାକ୍ର ‘ଏ’ ଗ୍ରେଡ଼ ମାନ୍ୟତା ମିଳିଥିବାରୁ ଶିକ୍ଷାବିତ୍ମାନେ ଖୁସି ବ୍ୟକ୍ତ କରିଛନ୍ତି। କିସ୍ ବିଶ୍ୱବିଦ୍ୟାଳୟ ଠିକ୍ ସମୟରେ ନାକ୍ ମାନ୍ୟତା ପାଇଁ ଆବେଦନ କରି ପ୍ରଥମ ଥରରେ ନାକ୍ର ‘ଏ’ ଗ୍ରେଡ଼ ମାନ୍ୟତା ପାଇବା ହେଉଛି ଏକ ବଡ଼ ସଫଳତା। ଏହା କିସ୍ ବିଶ୍ୱବିଦ୍ୟାଳୟରେ ପ୍ରଦାନ କରାଯାଉଥିବା ଗୁଣାତ୍ମକ ଶିକ୍ଷାକୁ ସୂଚୀତ କରୁଛି ବୋଲି ଶିକ୍ଷାବିତ୍ମାନେ କହିଛନ୍ତି। ଏହି ସଫଳତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବା ସହ ଏଥିପାଇଁ କିସ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି।