ସଜାଗ ଏବଂ ସଚେତନ ହେଲେ ଦୁର୍ନୀତିର ମୂଳୋତ୍ପାଟନ ହୋଇପାରିବ – ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ

0

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଦୁର୍ନୀତି ନିବାରଣ ସପ୍ତାହ ଚଳିତ ମାସ ୨୮ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିଛି । ଏହି ଅବସରରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା  ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଦେଶ ସ୍ବାଧୀନତା ହେବାର ଅନେକ ବର୍ଷ ପରେ ମଧ୍ଯ  ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଆଜି ମଧ୍ଯ ଦୁର୍ନୀତି ଲୋପ ପାଇ ନାହିଁ । ଆବଶ୍ୟକତା ଠାରୁ ଅଧିକ ଲୋଭ ହିଁ ଦୁର୍ନୀତିକୁ ପ୍ରଶ୍ରୟ ଦେଉଛି । ସଜାଗ ଏବଂ ସଚେତନ ହେଲେ ଦୁର୍ନୀତିର ମୂଳୋତ୍ପାଟନ ହୋଇପାରିବ ଓ ଏକ ବିକଶିତ ରାଷ୍ଟ୍ର ଗଠନ ହୋଇପାରିବ।

ଏହି ମାନସିକତା ଜାଗ୍ରତ କରିବା ନିମନ୍ତେ ପ୍ରତ୍ୟେକ ନାଗରିକ ଯତ୍ନବାନ ହେବା ଜରୁରୀ ହୋଇ ପଡିଛି ବୋଲି ନିଜ ବକ୍ତବ୍ୟରେ ଶ୍ରୀ ପ୍ରଧାନ ଜଣାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ, ଦୁର୍ନୀତି ନିବାରଣ ବିଭାଗୀୟ ଉପ ଆରକ୍ଷୀ ଅଧୀକ୍ଷକ, ସଦାନନ୍ଦ ପାଣି ଓ ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ମଞ୍ଚାସୀନ ଥିଲେ। ଲୋକଙ୍କର  ମାନସିକତା ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ଓ ସମସ୍ତେ ଏକଜୁଟ ହୋଇ ଦୁର୍ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାକୁ ହେବ ବୋଲି ଏହି ଅବସରରେ ଶ୍ରୀ ପାଣି ଆହ୍ଵାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ।  ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀମାନେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ପରିବେଷଣ କରିଥିଲେ। ମହାବିଦ୍ୟାଳୟ ସ୍ତରରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା। ରାଲିରେ ଜିଲ୍ଲାର ପାରମ୍ପରିକ ଲୋକନୃତ୍ୟକୁ ସାମିଲ କରଯାଇଥିଲା।ଏଥିରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀ ମାଆ, ଏନସିସି କ୍ୟାଡେଟ, ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଦୁର୍ନୀତି ନିବାରଣ ବିଭାଗର କର୍ମଚାରୀ ସାମିଲ ହୋଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ସାହୁ, ଜିଲ୍ଲା ପରିଷଦ ଅର୍ଥ ପରିଚାଳକ ମାନସ ମିଶ୍ର, ବାଲାଜୀ ପଟ୍ଟନାୟକ, ଭିଜିଲାନ୍ସ ଇନ୍ସପେକ୍ଟର ସୂର୍ଯ୍ୟକାନ୍ତି ଟାକ୍ରିଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଭିଜିଲାନ୍ସ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ଜିଲ୍ଲା ପରିଷଦ, ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ସହଯୋଗ କରିଥିଲେ।