ଭୁବନେଶ୍ୱର: ଆଗାମୀ ଶ୍ରୀଗୁଣ୍ଡିଚାରୁ ବାଗ୍ଚୀ-ଶ୍ରୀଶଙ୍କର କ୍ୟାନ୍ସର ହସ୍ପିଟାଲରେ ଆରମ୍ଭ ହେବ ରୋଗୀ ସେବା ।ତେବେ ଆଜି ଏହି ହସ୍ପିଟାଲର ନବନିର୍ମିତ ଗୃହ ପ୍ରତିଷ୍ଠା ପୂଜା ଅନୁଷ୍ଠିତ ହୋଇଛି । ଏହି ଅବସରରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କାର୍ତ୍ତିକେୟନ ପାଣ୍ଡିଆନ ଆଜି ଭୁବନେଶ୍ୱର ଇନଫୋଭ୍ୟାଲି-୨ ସ୍ଥିତ ବାଗ୍ଚୀ-ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ଅଧିକାରୀମାନେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ତଥା ହସ୍ପିଟାଲର ପ୍ରମୁଖ ଟ୍ରଷ୍ଟି ସୁବ୍ରତୋ ବାଗ୍ଚୀ ଏବଂ ହସ୍ପିଟାଲ ପ୍ରତିଷ୍ଠାତା ଡ. ସାଇନାଥଙ୍କ ସହ ହସ୍ପିଟାଲର ନିର୍ମାଣ ଓ ପ୍ରସ୍ତୁତି ସମ୍ପର୍କରେ ବହୁ ସମୟ ଧରି ଆଲେଚନା କରିବା ସହ ଡାକ୍ତରଖାନା ବୁଲି ଦେଖିଥିଲେ । ଏହି ପରିଦର୍ଶନରେ ସମୟରେ ଅନ୍ୟମାନଙ୍କ ମଧ୍ୟରେ ମିଶନ ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ, ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ, ସୁବ୍ରତୋ ବାଗ୍ଚୀଙ୍କ ସହଧର୍ମିଣୀ ତଥା ମୋ ସ୍କୁଲ୍ର ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ ଉପସ୍ଥିତ ଥିଲେ ।ମାତ୍ର ଏକ ବର୍ଷ ତିନି ମାସ ମଧ୍ୟରେ ଏହି ଡାକ୍ତରଖାନାର ନିର୍ମାଣକାର୍ୟ୍ୟ ଶେଷ ହୋଇଛି ବୋଲି କହିଛନ୍ତି ଡଃ ସାଇନାଥ । ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କ୍ୟାନ୍ସର ହସ୍ପିଟାଲ ସ୍ଥାପନ ଲାଗି ଆମକୁ ଉତ୍ସାହିତ କରିବା ଏବଂ ରାଜ୍ୟ ସରକାରଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଯଦିଓ ପ୍ରଥମେ ଦୂରତା ଓ ଆନୁଷଙ୍ଗିକ ଆବଶ୍ୟକତା ଦୃଷ୍ଟିରୁ ଆମେ ଏଠାରେ ଡାକ୍ତରଖାନା ସ୍ଥାପନ ପାଇଁ କୁଣ୍ଠିତ ଥିଲୁ, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଶାରେ ଏକ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା କରିବାର ଲକ୍ଷ୍ୟ ଏବଂ ଓଡ଼ିଶାବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାରେ ପ୍ରତିବଦ୍ଧତା ଏ ଦିଗରେ ଆମକୁ ଉତ୍ସାହିତ କରିଥିଲା। ୨୦ ଏକର ପରିମିତ ଜାଗା ଆମକୁ ବିନା ଅସୁବିଧାରେ ମିଳିଥିଲା। ମୁଖ୍ୟମନ୍ତ୍ରୀ ଏଠାରେ ୭୫୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କରିବାକୁ ନିର୍ଦ୍ଦେଶ ଦେଇଥିଲେ, ଯାହାକି ପୂରଣ ହେବାକୁ ଯାଉଛି। ବର୍ତ୍ତମାନ ତଳ ମହଲା ବ୍ୟତୀତ ଏଠାରେ ୬ ମହଲା ବିଶିଷ୍ଟ କୋଠା ନିର୍ମାଣ ହୋଇଛି। ପ୍ରତି ମହଲାରେ ୧୫ ହଜାର ବର୍ଗ ଫୁଟ ସ୍ଥାନ ରହିଛି ଏବଂ ଏହି ଡାକ୍ତରଖାନାରେ ଡାକ୍ତର, ରୋଗୀ ତଥା ରୋଗୀ ସମ୍ପର୍କୀୟଙ୍କ ଯାତାୟତ ପାଇଁ ବ୍ୟାପକ ସୁବିଧା ସୁଯୋଗ ରହିଛି। ଓଡ଼ିଶା ସରକାର ଓ ସବୁ ମହଲରୁ ସହଯୋଗ ଯୋଗୁଁ ଡାକ୍ତରଖାନା କାର୍ୟ୍ୟ ସଫଳତାର ସହ ଆରମ୍ଭ ହେବାକୁ ଯାଉଛି। ଏଠାରେ କର୍କଟ ରୋଗ ଚିକିତ୍ସା ସମ୍ପର୍କିତ ମେଡକାଲ ଅଙ୍କୋଲୋଜି, ରେଡିଏସନ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି ଆଦି ବିଭିନ୍ନ ବିଭାଗ ପ୍ରସ୍ତୁତ କରାଯାଉଛି। ଏହି ଡାକ୍ତରଖାନା ଦ୍ୱାରା ଆଗାମୀ ଦିନରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାରଖଣ୍ଡ, ଛତିଶଗଡ଼ ଆଦି ପଡ଼ୋଶୀ ରାଜ୍ୟର କର୍କଟ ରୋଗୀ ଚିକିତ୍ସା ପାଇବେ ବୋଲି ଡକ୍ଟର ସାଇନାଥ ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ ଆଗାମୀ ରଥଯାତ୍ରା ଦିନରୁ ଆମେ ପ୍ରଥମ ରୋଗୀଙ୍କୁ ଡାକ୍ତରଖାନାରେ ଗ୍ରହଣ କରି ଚିକିତ୍ସା ଆରମ୍ଭ କରିବୁ ବୋଲି ଶ୍ରୀ ବାଗ୍ଚୀ କହିଛନ୍ତି। ଏହି ହସ୍ପିଟାଲରେ ରୋଗୀମାନେ ଯେପରି ସୁବିଧାରେ ଚିକିତ୍ସା ପାଇବେ, ସେଥି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଥିବା ଓ ଏଠାରେ ରୋଗୀ ଯେପରି ମନ୍ଦିର ଭଳି ପରିବେଶ ଅନୁଭବ କରିବେ, ତାହା ଆମର ଲକ୍ଷ୍ୟ ରହିଛି ବୋଲି ଶ୍ରୀ ବାଗ୍ଚୀ କହିଛନ୍ତି।