ପୁରୀ: ସରି ଆସିଲାଣି ମହାପ୍ରଭୁଙ୍କ ଜନ୍ମବେଦୀ ଲୀଳଖେଳା । ଆଜି ନବମୀର ସନ୍ଧ୍ୟା ଦର୍ଶନରେ ଜନ୍ମବେଦୀରେ ବର୍ଷର ଶେଷ ଦର୍ଶନ ଦେବେ ଶ୍ରୀଜୀଉ । ହେରାପଞ୍ଚମୀ ନୀତି ପରେ ଗତ ବୁଧବାର ଦିନ ଦକ୍ଷୀଣମୋଡ଼ ନେଇଥିଲେ ଦେବଦଳନ ଓ ତାଳଧ୍ଵଜ। ଏହାପରେ ଗତକାଲି ନନ୍ଦିଘୋଷ ଦକ୍ଷୀଣମୋଡ ନେଇ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ପହଁଚିବା ପରେ ନାକଚଣା ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଛନ୍ତି ତିନିରଥ ।
ଶ୍ରୀମନ୍ଦିର ମୁହାଁ ତିନିରଥ ଏବେ ମହାପ୍ରଭୁଙ୍କୁ ବାହୁଡେଇ ନେବାପାଇଁ ପ୍ରସ୍ତୁତ । ସେପଟେ ଆଜି ଲକ୍ଷାଧିକ ଭକ୍ତ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରି କୃତ୍ତାର୍ଥ ହେବେ । ଅନ୍ୟପଟେ ନୀତିକାନ୍ତି ସଅଳ କରିବାକୁ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କ ସହ ଆଲୋଚନା କରାଯାଇଥିବା ବେଳେ ଶନିବାର ବାହୁଡାଯାତ୍ରା ଥିବାରୁ ଆଜି ସଂନ୍ଧ୍ୟା ଦର୍ଶନକୁ ଅପରାହ୍ନ ୬ଟାରେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ବିଶ୍ୱାସ ରହିଛି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ । ତେଣୁ ଆଡ଼ପ ମଣ୍ଡପରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ସଂନ୍ଧ୍ୟା ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାରେ ଯେପରି କୌଣସି ଅବ୍ୟବସ୍ଥା ନ ହୁଏ ଏବଂ କିଭଳି ସମୟ ପୂର୍ବରୁ ନୀତିକାନ୍ତି ସମାପ୍ତ କରାଯିବ, ସେ ନେଇ ଜିଲ୍ଲାପାଳଙ୍କ ସହ ଦଇତାପତି ନିଯୋଗର ଆଲୋଚନା ସରିଛି । ଚଳିତ ବର୍ଷ ସୁନାବେଶରେ ପ୍ରବଳ ଜନସମାଗମ ହେବାର ସମ୍ଭାବନାକୁ ଦୃଷ୍ଟିର ରଖି ରାତି ଗୋଟାଏ ଯାଏଁ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି ।
ତେବେ ସାଧାରଣ ଭକ୍ତମନରେ ପ୍ରଶ୍ନ ଉଠେ ଆଡପ ମଣ୍ଡପରେ ଶ୍ରଜୀୟୁଙ୍କୁ ସବୁଦିନ ସଂଧ୍ୟାରେ ଭକ୍ତମାନେ ଦର୍ଶନ କରିଥାନ୍ତି। ହେଲେ ତାହାକୁ ସଂଧ୍ୟା ଦର୍ଶନ ନ କହି କେବଳ ବାହୁଡା ପୂର୍ବଦିନକୁ ସଂଧ୍ୟା ଦର୍ଶନ କାହିଁକି କୁହାଯାଏ। ଏହାର କାରାଣ ହେଲା ଯେ, ବାହୁଡା ପୂର୍ବଦିନ ଠାକୁରଙ୍କ ଆଡପ ମଣ୍ଡପରେ ଶେଷ ଦର୍ଶନ। ସାଧାରଣତଃ ସଂଧ୍ୟା ସମୟଟି ଦିନର ଶେଷ ସମୟ ହୋଇଥାଏ। ସେଥିପାଇଁ ଠାକୁରଙ୍କୁ ବାହୁଡା ପୂର୍ବଦିନ ସଂଧ୍ୟାରେ ଶେଷ ଦର୍ଶନ ହୋଇଥିବାରୁ ଏହାକୁ ସଂଧ୍ୟା ଦର୍ଶନ କୁହାଯାଇଥାଏ। ଏହିଦିନ ନବମୀ ତିଥି ଥିବାରୁ ଏହାକୁ ନବମୀ ସଂଧ୍ୟା ଦର୍ଶନ ମଧ୍ୟ କୁହାଯାଏ।