ପୁରୀ: ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ଶ୍ରୀମନ୍ଦିର ବାହୁଡ଼ା । ବଡ଼ଦାଣ୍ଡରେ ଗଡ଼ି ଚାଲିଛି ତିନି ରଥ । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ନାହିଁ ନଥିବା ଭକ୍ତଙ୍କ ଭିଡ଼ । ସଭିଙ୍କ ମନରେ ଗୋଟିଏ ଆଶା କଳା ସାଆନ୍ତକୁ ଟିକେ ଆଖି ପୁରାଇ ଦେଖିବେ । ମହାପ୍ରଭୁଙ୍କ ରଥ ଦଉଡ଼ି ଛୁଇଁ କୋଟି ନର୍କରୁ ପାରି ହୋଇଯିବେ । ତେବେ ଜନ୍ମବେଦୀରେ ଳୀଳାଖେଳା ସାରି ଘରକୁ ଫେରୁଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଭୋର ୪ଟାରୁ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ପହଣ୍ଡି ବିଜେ, ଛେରା ପହଁରା, ଚାରମାଳ ଫିଟିବା ପରେ ରଥରେ ଘୋଡାବନ୍ଧା ହୋଇ ରଥ ଟଣା ଆରମ୍ଭ ହୋଇଛି ।
ଆସନ୍ତାକାଲି ରଥ ଉପରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ସୁନାବେଶ । କୋଭିଡ୍ କଟକଣା ଯୋଗୁ ଗତ ୨ ବର୍ଷ ଧରି ଭକ୍ତମାନେ ମହାପ୍ରଭୁଙ୍କ ରାଜରାଜେଶ୍ୱରର ବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ। ତେଣୁ ଚଳିତ ବର୍ଷ ଶ୍ରୀମନ୍ଦିର ସମ୍ମୁଖରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାତି ୧ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି।