ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ କ୍ଷୁଦ୍ରଗଳ୍ପ ‘ଜେଜେଙ୍କ ଗପ ଗଣ୍ଠିଲି’ କୁ ମିଳିବ ବାଲ୍ ସାହିତ୍ୟ ପୁରସ୍କାର

‘ଜେଜେଙ୍କ ଗପ ଗଣ୍ଠିଲି' କୁ ବାଲ୍ ସାହିତ୍ୟ ପୁରସ୍କାର

0

ଭୁବନେଶ୍ୱର: ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୩ ବର୍ଷ ପାଇଁ ଘୋଷଣା ହୋଇଛି ବାଲ୍ ସାହିତ୍ୟ ପୁରସ୍କାର | ଚଳିତବର୍ଷ ୨୨ଟି ଭାଷାରେ ପ୍ରକାଶିତ ଶିଶୁସାହିତ୍ୟ ସମ୍ବଳିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି | ଏଥି ମଧ୍ୟରେ ଓଡ଼ିଆ ଭାଷାରେ ପ୍ରକାଶିତ ‘ଜେଜେଙ୍କ ଗପ ଗଣ୍ଠିଲି’ କୁ ବାଲ୍ ସାହିତ୍ୟ ପୁରସ୍କାର ମିଳିବ ବୋଲି ଅକାଦେମି ପକ୍ଷରୁ ଘୋଷଣା କରାଯାଇଛି | ଯୁଗଳ କିଶୋର ଷଡ଼ଙ୍ଗୀଙ୍କ ଲିଖିତ ‘ଜେଜେଙ୍କ ଗପ ଗଣ୍ଠିଲି’ ଏକ କ୍ଷୁଦ୍ର ଗଳ୍ପ | ଏହି ପୁରସ୍କାର ବାବଦରେ ଲେଖକ ଯୁଗଳ କିଶୋର ଷଡ଼ଙ୍ଗୀଙ୍କୁ ଏକ ତାମ୍ରଫଳକ ସାଙ୍ଗକୁ ୫୦ ହଜାର ଟଙ୍କାର ଅର୍ଥରାଶି ଦିଆଯିବ।

ଚଳିତବର୍ଷ ଓଡ଼ିଆ ସମେତ ହିନ୍ଦୀ, ବଙ୍ଗଳା, ଗୁଜୁରାଟୀ, କନ୍ନଡ଼, କୋଙ୍କଣୀ, ଅସମୀୟା, ଇଂରାଜୀ, ମୈଥିଳି, ମାଲାୟାଲାମ, ନେପାଳୀ, ମରାଠୀ, ପଂଜାବୀ, ରାଜସ୍ଥାନୀ, ଉର୍ଦ୍ଦୁ, ବୋଡୋ, ଡୋଗ୍ରୀ, ସଂସ୍କୃତ, ସାନ୍ତାଳୀ, ତାମିଲ, ତେଲୁଗୁ ଭଳି ଭାଷାରେ ଲିଖିତ ପୁସ୍ତକ ପାଇଁ ପୁରସ୍କାର ଘୋଷଣା କରାଯାଇଛି | ପୂର୍ବରୁ ମଧ୍ୟ ଓଡ଼ିଆ ଶିଶୁ ସାହିତ୍ୟିକଙ୍କୁ ବାଲ୍ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ୨୦୨୨ରେ ନରେନ୍ଦ୍ର ପ୍ରସାଦ ଦାସ, ୨୦୨୧ରେ ଦିଗରାଜ ବ୍ରହ୍ମା, ୨୦୨୦ରେ ରାମଚନ୍ଦ୍ର ନାୟକ, ୨୦୧୯ରେ ବୀରେନ୍ଦ୍ର କୁମାର ସାମନ୍ତରାୟ, ୨୦୧୮ରେ ବୀରେନ୍ଦ୍ର ମହାନ୍ତି ପ୍ରମୁଖ ପାଇଛନ୍ତି ଏହି ପୁରସ୍କାର |