(ବନବାସୀ ପ୍ରଧାନ/ବାଲିଗୁଡା): କନ୍ଧମାଳ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଲକଡାଉନ କଟକଣା ଜାରି ହୋଇଛି । ଏଥିପାଇଁ ଦୋକାନ ବଜାର ଖୋଲିବାକୁ ଦିନ ୧ଟା ପର୍ଯ୍ୟନ୍ତ ଅନୁମତି ଥିବା ବେଳେ ସରକାରୀ କାର୍ଯ୍ୟାଳୟ ତଥା ବ୍ୟାଙ୍କ ପାଇଁ କୌଣସି କଟକଣା ନାହିଁ । ତେବେ ଆଜି କୌଣସି ଛୁଟି ଦିନ ହୋଇ ନଥିବା ବେଳେ ମଧ୍ୟାହ୍ନ ପ୍ରାୟ ୨ଟା ୪୫ ମିନିଟରେ ବାଲିଗୁଡା ବ୍ଲକ ଅଫିସରେ ତାଲା ଝୁଲୁଥିବା ଦେଖାଯାଇଥିଲା । ଏହି ସମୟରେ ଜଣେ ବ୍ୟକ୍ତି କୌଣସି ଜରୁରୀ କାମରେ ବ୍ଲକ ଅଫିସକୁ ଯାଇଥିବା ବେଳେ ସେଠାରେ ବହୁ ସମୟ ଧରି ଅପେକ୍ଷା କରିଥିଲେ । ପରେ ନିରାଶ ହୋଇ ବ୍ଲକ ଅଫିସରେ ତାଲା ଝୁଲୁଥିବା ଦୃଶ୍ୟ ନିିଜ ଫେସବୁକରେ ଭାଇରାଲ କରିଥିଲେ । ଏ ସମ୍ପର୍କରେ ବିଡିଓ ଖବର ପାଇବା ପରେ ଭିଡିଓ ଭାଇରାଲ କରିଥିବା ବ୍ୟକ୍ତିଙ୍କୁ ଡାକି ତାଙ୍କୁ ର୍ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଛି । ତେବେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଅଫିସ ଖୋଲା ନ ରହି ମଧ୍ୟାହ୍ନରେ ବ୍ଲକ ଅଫିସରେ ତାଲା ଝୁଲିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ସମୟରେ ବିଡିଓ ମହାଶୟ ଯଦି କୌଣସି କାମରେ ବାହାରକୁ ଯାଇଥାନ୍ତି ତେବେ ଅଫିସରେ ଅନ୍ୟ କର୍ମଚାରୀମାନେ କାହିଁକି ନଥିଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ଦ୍ୱାରା ଏହାର ତଦନ୍ତ କରାଯାଇ କାର୍ଯ୍ୟରେ ଅବହେଳା କରିଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।