(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଐତିହାସିକ ରାଜ୍ୟ ମହୋତ୍ସବ ବାଲିଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ଆରମ୍ଭ ହୋଇଛି। ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ୮ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ଉଦ୍ଘା ଟନ କରିଛନ୍ତି। ଚଳିତବର୍ଷ ବାଲିଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାଶ ପ୍ରସ୍ତୁତି କରାଯାଇଛି। ଏଥର ପ୍ରାୟ ୧୭୦୦ରୁ ଊର୍ଦ୍ଧ୍ବ ପ୍ଲଟ ଆବଣ୍ଟନ କରାଯାଇଛି। ତଳ ଓ ଉପର ପଡିଆରେ ବ୍ୟବସାୟୀଙ୍କୁ ଷ୍ଟଲ୍ ଆବଣ୍ଟନ ସରିଛି। ଆଜି ସକାଳୁ ଷ୍ଟଲ୍ଗୁିଡିକୁ ବିଦ୍ୟୁତ ସଂଯୋଗ କରାଯାଇଥିଲା। ଏଥର ତଳପଡିଆରେ ଓରମାସ ସମେତ କେତୋଟି ସରକାରୀ ଷ୍ଟଲ୍ ରହିଛି। ବାଲିଯାତ୍ରାକୁ ସରସ ସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ଅନେକ ନୂଆ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି। ଚଳିତବର୍ଷ ପ୍ରଥମଥର ପାଇଁ ବାଲିଯାତ୍ରାରେ ପଥୋତ୍ସବ ଆୟୋଜନ କରାଯାଇଛି। ସକାଳରୁ ସଞ୍ଜ ପର୍ୟ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ୟ୍ୟକ୍ରମ ଆୟୋଜନର ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଓରମାସ ପକ୍ଷରୁ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯାଇଛି। ଓରମାସ ପରିସରରେ ୪୦୮ଟି ଷ୍ଟଲ ଖୋଲାଯାଇଛି। ଏଥିରେ ୨୫ଟି ରାଜ୍ୟ ସମେତ ଓଡ଼ିଶାର ୩୦ଟି ଜିଲାର ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ହୋଇଛନ୍ତି। ଦୀର୍ଘବର୍ଷ ଧରି ବନ୍ଦ ହେବା ପରେ ଚଳିତବର୍ଷ ବାଲିଯାତ୍ରାରେ ତାରକସୀ ଶିଳ୍ପୀଙ୍କ ପାଇଁ ସ୍ୱତନ୍ତ୍ର ତାରକସୀ ହବ ଖୋଲାଯାଇଛି। ସେହିପରି ବାଲିଯାତ୍ରାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଆଲୋଚନା ପାଇଁ ମୋ କଟକ ପାଭିଲିଅନ ମଧ୍ୟ ସ୍ଥାପନ କରାଯାଇଛି। ପରିବେଶ ପ୍ରଦୂଷଣ ସମ୍ପର୍କରେ ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ପ୍ରଶାସନ ପକ୍ଷରୁ ବାଲିଯାତ୍ରାରେ ମୋ ରିକ୍ସା ଓ ମୋ ସାଇକଲ ଭଳି ଅଭିନବ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି। ରିକ୍ସା ଓ ସାଇକଲ ଚଢି ଦର୍ଶକ ବାଲିଯାତ୍ରାରେ ମଜା ନେଇପାରିବେ।