ଶ୍ରୀନଗର-: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନ ଖରାପ ସମୟ ଦେଇ ଗତି କରୁଛି । ଭାରତ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ପାକିସ୍ତାନ ଉପରେ ଅନେକ କଟକଣା ଲଗାଇଛି । ତେବେ ବୁଧବାର ଦିନ, ଭାରତୀୟ ସେନାର ଅପରେସନ ସିନ୍ଦୂର ପାକିସ୍ତାନକୁ ବିପୁଳ କ୍ଷତି ପହଞ୍ଚାଇଥିଲା ବେଳେ ଏବେ ବଲୋଚ ବିଦ୍ରୋହୀମାନେ ମଧ୍ୟ ପାକିସ୍ତାନକୁ ଗଭୀର ଆଘାତ ଦେଇଛନ୍ତି । ବଲୋଚ ଲିବରେସନ ଆର୍ମି ଏକ IED ସାହାଯ୍ୟରେ ପାକିସ୍ତାନୀ ସେନାର ଗାଡ଼ି ଉପରେ ଆକ୍ରମଣ କରିଥିଲା ଯେଉଁଥିରେ ୧୨ ଜଣ ପାକ୍ ସେନାଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନ ସେନା ଉପରେ ବଲୁଚ୍ ଲୋକଙ୍କ ଦ୍ବାରା ଏହା ଦ୍ବିତୀୟ ବଡ଼ ଆକ୍ରମଣ ।
ପାକିସ୍ତାନର ଦକ୍ଷିଣ-ପଶ୍ଚିମ ଅଞ୍ଚଳ ବେଲୁଚିସ୍ତାନର କାଛି ଜିଲ୍ଲାର ମାଚ୍ ଅଞ୍ଚଳରେ ସୁରକ୍ଷା ବାହିନୀର ଏକ ଗାଡ଼ି ଉପରେ ଆଇଇଡି ବିସ୍ଫୋରଣ କରିଥିଲା ବଲୋଚ ଲିବରେସନ ଆର୍ମି । ଏହି ବିସ୍ଫୋରଣ ମାଧ୍ୟମରେ ସେମାନେ ପାକିସ୍ତାନୀ ସେନାର ଗାଡ଼ିକୁ ଟାର୍ଗେଟ କରିଥିଲେ, ଯାହାର ଫୁଟେଜ୍ ଏବେ ସୋସିଆଲ ମିଡିଆରେ ପ୍ରକାଶ ପାଇଛି । ଫୁଟେଜରେ ଦେଖାଯାଉଛି ଯେ ବିସ୍ଫୋରଣ ପରେ, ଗାଡ଼ିରେ ବସିଥିବା ସୈନିକମାନେ ଆକାଶରେ କିଛି ମିଟରକୁ ଉଡ଼ିଯାଇ ତଳେ ପଡ଼ିଥିଲେ ।