ଭୁବନେଶ୍ୱର: ବାଲେଶ୍ବର ଏସ୍ପି ସାଗରିକା ନାଥଙ୍କ ପରିବାର ଠାରୁ ଲୁଟ ଉଦ୍ୟମ ହୋଇଛି। ଗତ ରାତିରେ ସାଗରିକାଙ୍କ ବାପା-ମା’ ଏକ କାରରେ ଆମ୍ରି ହସ୍ପିଟାଲ ନିକଟ ସତ୍ୟସାଇ ଏନକ୍ଲେଭ ସ୍ଥିତ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଦୀର୍ଘ ସମୟ ବାଇକରେ ପିଛା କରିବା ପରେ ଘାଟିକିଆସ୍ଥିତ ଏକ ନିର୍ଜନ ଅଞ୍ଚଳରେ ଅଟକାଇଥିଲେ। ଦୁର୍ବୃତ୍ତ ଦ୍ବୟ ସେମାନଙ୍କ କାର୍ ଆଗରେ ବାଇକ୍ ରଖି ଦେଇଥିଲେ। ପରେ ସେମାନେ କାରରୁ ଦମ୍ପତିଙ୍କୁ ଓହ୍ଲାଇ ଟଣାଓଟରା କରିଥିଲେ। ପାଖରେ ଯାହା ଟଙ୍କା-ପଇସା, ମୋବାଇଲ୍ ଅଛି ଦେଇଦେବାକୁ ଧମକାଇଥିଲେ। କିନ୍ତୁ ସାଗରିକାଙ୍କ ବାପା ଦୁର୍ବୃତ୍ତମାନଙ୍କୁ ବାଧା ଦେବାରୁ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଅଭିଯୁକ୍ତମାନେ ରାଗରେ ଦମ୍ପତିଙ୍କୁ ଆକ୍ରମଣ କରିଥିଲେ। ପାଟି ଶୁଣି କିଛି ସ୍ଥାନୀୟ ଲୋକ ପହଞ୍ଚି ଯିବାରୁ ଧରାପଡ଼ିଯିବା ଭୟରେ ଦୁର୍ବୃତ୍ତମାନେ ସେଠାରୁ ବାଇକ୍ ଛାଡ଼ି ଚମ୍ପଟ ମାରିଥିଲେ। ଖବର ପାଇ ଭରତପୁର ଥାନା ପୁଲିସ୍ ଘଟଣାସ୍ଥଳରୁ ଆହତ ଦମ୍ପତିଙ୍କୁ ଉଦ୍ଧାର କରି ଆମ୍ରି ହସ୍ପିଟାଲରେ ଚିକିତ୍ସା କରାଇଥିଲା।