ବାଂଲାଦେଶରେ ନିର୍ବାଚନ ପୂର୍ବରୁ ସଂଖ୍ୟାଲଘୁ ହିନ୍ଦୁ ମାନଙ୍କ ବଡ ଦାବି…

0

ବାଂଲାଦେଶରେ ନିର୍ବାଚନ ପୂର୍ବରୁ ସଂଖ୍ୟାଲଘୁ ହିନ୍ଦୁ ମାନଙ୍କ ବଡ ଦାବି । ସଂସଦରେ ସଂରକ୍ଷିତ ଆସନ ଏବଂ ପୃଥକ ନିର୍ବାଚନ ପାଇଁ ସେମାନେ ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ସେପର୍ୟ୍ୟନ୍ତ ସେମାନେ କୌଣସି ଜାତୀୟ ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ ବୋଲି ମଧ୍ୟ ଚେତାବନି ଦେଇଛନ୍ତି । ଶୁକ୍ରବାର ଢାକାର ଜାତୀୟ ପ୍ରେସ୍ କ୍ଲବ ବାହାରେ ଆୟୋଜିତ ଏକ ମାନବ ଶୃଙ୍ଖଳ ଏବଂ ପ୍ରତିବାଦ ରାଲିରେ ଏହି ଚେତାବନୀ ଦିଆଯାଇଛି। ବାଂଲାଦେଶ ଜାତୀୟ ହିନ୍ଦୁ ମହାସଭାର ନେତାମାନେ କହିଛନ୍ତି ଯେ ପ୍ରତ୍ୟେକ ଜାତୀୟ ନିର୍ବାଚନ ହିନ୍ଦୁ ସମ୍ପ୍ରଦାୟ ପାଇଁ ଏକ ଦଣ୍ଡଠାରୁ କମ୍ ନୁହେଁ। ସଂରକ୍ଷିତ ଆସନ ଏବଂ ଏକ ପୃଥକ ନିର୍ବାଚନ ବ୍ୟବସ୍ଥାର ଅଭାବରେ, ସଂସଦରେ ହିନ୍ଦୁମାନଙ୍କର କୌଣସି ଉପସ୍ଥିତି ନାହିଁ। ଏହି କାରଣରୁ, ସେମାନେ ବର୍ଷ ବର୍ଷ ଧରି ନିର୍ୟାତନାର ସମ୍ମୁଖୀନ ହୋଇଆସୁଛନ୍ତି। ନେତାମାନେ କହିଛନ୍ତି ଯେ ଯଦି ସରକାର ସେମାନଙ୍କ ଦାବି ପ୍ରତି ଧ୍ୟାନ ନ ଦିଅନ୍ତି, ତେବେ ହିନ୍ଦୁ ସମ୍ପ୍ରଦାୟ ମତଦାନ କେନ୍ଦ୍ର ବର୍ଜନ କରିବେ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରୁ ନିଜକୁ ଅଲଗା କରିଦେବେ।

ଏହି ପ୍ରତିବାଦ କାର୍ୟ୍ୟକ୍ରମରେ ହିନ୍ଦୁ ମହାସଭାର ସଭାପତି ଦିନବନ୍ଧୁ ରାୟ, କାର୍ୟ୍ୟକାରୀ ସଭାପତି ପ୍ରଦୀପ କୁମାର ପାଲ, ସାଧାରଣ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପ୍ରମାଣିକ ଏବଂ ସଂଗଠନର ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଅଂଶଗ୍ରହଣ କରିଥିଲେ। ପ୍ରତିବାଦ ସଭାରେ ବକ୍ତାମାନେ ଧର୍ମ ଅପମାନ ଅଭିଯୋଗରେ ଲାଲମନିରହାଟରେ ପରେଶ ଚନ୍ଦ୍ର ଶୀଳ ଏବଂ ବିଷ୍ଣୁପଦ ଶୀଳଙ୍କୁ ଗିରଫ କରାଯିବାକୁ ନିନ୍ଦା କରିଥିଲେ। ସେମାନେ ଏହାକୁ ଏକ ମିଥ୍ୟା ମାମଲା ଏବଂ ହିନ୍ଦୁମାନଙ୍କ ଉପରେ ବଢ଼ୁଥିବା ଅତ୍ୟାଚାରର ଏକ ଉଦାହରଣ ବୋଲି କହିଥିଲେ। ସଭାରେ ମନ୍ଦିର ଏବଂ ମୂର୍ତ୍ତି ଭଙ୍ଗା, ହିନ୍ଦୁ ଘର ଉପରେ ଆକ୍ରମଣ, ମହିଳାଙ୍କ ପ୍ରତି ହିଂସା, ଜମି ହଡ଼ପ ଏବଂ ବଳପୂର୍ବକ ଧର୍ମାନ୍ତରଣ ଘଟଣା ବିରୁଦ୍ଧରେ ମଧ୍ୟ ପ୍ରତିବାଦ କରାଯାଇଥିଲା।

ବକ୍ତାମାନେ ଅଭିଯୋଗ କରିଥିଲେ ଯେ ଏପର୍ୟ୍ୟନ୍ତ ‘ଶତ୍ରୁ ସମ୍ପତ୍ତି ଆଇନ’ ଅଧୀନରେ ହିନ୍ଦୁ ସମ୍ପ୍ରଦାୟର ପ୍ରାୟ ୨୬ ଲକ୍ଷ ଏକର ସମ୍ପତ୍ତି ଜବତ କରାଯାଇଛି। ଢାକାରେ ଦେବତାଙ୍କ ସହ ଜଡିତ ଅନେକ ମନ୍ଦିର ଏବଂ ସମ୍ପତ୍ତି ମଧ୍ୟ ବେଆଇନ ଭାବରେ ଦଖଲ କରାଯାଇଛି। ହିନ୍ଦୁ ମହାସଭାର ନେତାମାନେ କହିଛନ୍ତି ଯେ ବାଂଲାଦେଶ ସ୍ୱାଧୀନତା ପରେ ଲୋକମାନେ ଆଶା କରିଥିଲେ ଯେ ସମସ୍ତ ଧର୍ମ ସମାନ ଅଧିକାର ପାଇବେ, କିନ୍ତୁ ସତ୍ୟ ହେଉଛି ପ୍ରଶାସନିକ ଗଠନ ଠାରୁ ଆରମ୍ଭ କରି ସାମ୍ବିଧାନିକ ସଂସ୍କାର ପର୍ୟ୍ୟନ୍ତ କୌଣସି ସ୍ଥାନରେ ହିନ୍ଦୁ ସମ୍ପ୍ରଦାୟର ଅଂଶଗ୍ରହଣ ନାହିଁ। ସାମ୍ବିଧାନିକ ସଂଶୋଧନରେ ମଧ୍ୟ ସେମାନଙ୍କ ମତାମତ ନିଆଯାଇ ନାହିଁ।