ବାଂଲାଦେଶରେ ତାତିଲେ ହିନ୍ଦୁ, ଆକ୍ରମଣ ବିରୋଧରେ ଉଠାଇଲେ ସ୍ୱର

0

ବାଂଲାଦେଶରେ ହିଂସା ଓ ଅରାଜକତା ଜାରି ରହିଛି । ସହ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ବିରୋଧ କରି ବାଂଲାଦେଶରେ ରାସ୍ତାକୁ ଓହ୍ଲାଇଲେ ଲକ୍ଷ ଲକ୍ଷ ହିନ୍ଦୁ । ଅଗଷ୍ଟ ୫ ପର ଠାରୁ ୫୨ଟି ଜିଲ୍ଲାରେ ଘଟିଛି ହିନ୍ଦୁ ଓ ସଂଖ୍ୟାଲଘୁ ବିରୋଧୀ କାଣ୍ଡ ।

ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ନିର୍ଯାତନା ଦେଉଥିବା ଲୋକଙ୍କ ବିରୋଧରେ ତ୍ୱରିତ କାର୍ଯାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ, ସଂସଦରେ ସଂଖ୍ୟାଲଘୁଙ୍କ ପାଇଁ ୧୦% ଆସନ ସଂରକ୍ଷଣ ଓ ଏକ ସଂଖ୍ୟାଲଘୁ ସୁରକ୍ଷା ଆଇନ ଆଣିବା ସମେତ ଅନ୍ୟାନ୍ୟ ଦାବି କରି ଗତକାଲି ହିନ୍ଦୁମାନେ ଢାକାର ଶାହବାଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସେମାନଙ୍କୁ ସମର୍ଥନ ଜଣାଇ ହଜାର ହଜାର ମୁସଲିମ ମଧ୍ୟ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ଫଳରେ ୩ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରାଫିକ ସମସ୍ୟା ଉପୁଜି ଥିଲା। ସେହିପରି ଚିଟ୍ଟାଗଙ୍ଗରେ ଲକ୍ଷାଧିକ ହିନ୍ଦୁ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୁହାଯାଉଛି, ଏହି ଦୁଇ ସ୍ଥାନରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ୭ ଲକ୍ଷରୁ ଅଧିକ ଲୋକ ଜମା ହୋଇଥିଲେ।

ପ୍ରତିବାଦ ପରେ ବାଂଲାଦେଶର ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍ ହିନ୍ଦୁ ଓ ଅନ୍ୟ ସଂଖ୍ୟା ଲଘୁଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଛାତ୍ର ସମାଜକୁ ଆହ୍ବାନ ଦେଇଛନ୍ତି।