ଆସନ୍ତାକାଲି ଖୋଲା ରହିବ ସମସ୍ତ ସରକାରୀ ବ୍ୟାଙ୍କ

0

(ରିିପୋର୍ଟସ ଟୁଡ଼େ/ ଭୁବନେଶ୍ୱର ) : ସାଧାରଣତଃ ମାସର ପ୍ରତି ରବିବାର ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡିକ ବନ୍ଦ ରହିଥାଏ। ମାତ୍ର ଏହି ରବିବାର ବା ମାର୍ଚ୍ଚ ୩୧ରେ ଦେଶର ସମସ୍ତ ସରକାରୀ ବ୍ୟାଙ୍କ ଖୋଲା ରହିବ। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ସର୍କୁଲାର ଜାରି କରିଛି। ଦେଶର ସବୁ ସରକାରୀ ବ୍ୟାଙ୍କଗୁଡିକୁ ରବିବାର ଖୋଲା ରଖିବାକୁ ଆରବିଆଇ ନିର୍ଦ୍ଦେଶ ଦେଇଛି। ମାର୍ଚ୍ଚ ୩୧ ତାରିଖ ଆର୍ଥିକବର୍ଷର ଶେଷ ଦିନ ହୋଇଥିବାରୁ ଏବଂ ଏହି ଦିନ ରବିବାର ପଡୁଥିବାରୁ ବ୍ୟାଙ୍କରେ କ୍ଲୋଜିଂ କାର୍ୟ୍ୟ କରାଯିବ। ଏଥିପାଇଁ ସରକାରୀ ନେଣଦେଣ କରୁଥିବା ବ୍ୟାଙ୍କ ଶାଖାଗୁଡିକୁ ଉକ୍ତ ଦିନ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆରବିଆଇ ସର୍କୁଲାର ଅନୁସାରେ ସରକାରୀ ନେଣଦେଣ କରୁଥିବା ସମସ୍ତ ବ୍ୟାଙ୍କ ଶାଖା ଏଜେନ୍ସିକୁ ମାର୍ଚ୍ଚ ୩୦ ରାତି ୮ଟା ପର୍ୟ୍ୟନ୍ତ ଓ ମାର୍ଚ୍ଚ ୩୧ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବ୍ୟାଙ୍କ ଖୋଲା ରହିବ। ରବିବାର ସାଧାରଣ ଗ୍ରାହକଙ୍କ କାର୍ୟ୍ୟ ମଧ୍ୟ ହୋଇପାରିବ। ଉଦାହରଣ ସ୍ବରୂପ ବ୍ୟାଙ୍କରେ ଚେକ୍‌ ଜମା କରିବା, ଅନ୍‌ ଲାଇନ୍‌ ବ୍ୟାଙ୍କିଙ୍ଗ୍‌ ସେବା (ଏନ୍‌ଇଏଫ୍‌ଟି, ଆରଟିଜିଏସ୍‌) ଓ ଟଙ୍କା ଜମା କରିବା ଭଳି କାର୍ୟ୍ୟ ହୋଇପାରିବ। ସାଧାରଣତଃ ରବିବାର ଅନ୍‌ ଲାଇନ୍‌ ସେବା ଏନ୍‌ଇଏଫ୍‌ଟି, ଆରଟିଜିଏସ୍‌ ବନ୍ଦ ରହିଥାଏ।