(ପୁନେ) : କରୋନା ସଂକ୍ରମିତ ବୃଦ୍ଧି ମାମଲାକୁ ନେଇ ମହାରାଷ୍ଟ୍ରର ପୁନେରେ ନାଇଟ୍ କର୍ଫ୍ୟୁ ସହିତ କଡା କଟକଣା ଲାଗୁ କରାଯାଇଛି। ଅନ୍ୟପକ୍ଷେ ଛତିଶଗଡର ଦୁର୍ଗରେ ସମ୍ପୂର୍ଣ୍ଣ ଲକଡାଉନ୍ ଲାଗୁ କରିଦିଆଯାଇଛି। ଦୁର୍ଗ ପୂର୍ବରୁ ମହାରାଷ୍ଟ୍ରର ବହୁ ସହରରେ ଲକଡାଉନ୍, ନାଇଟ କର୍ଫ୍ୟୁ ଲଗାଯାଇ ସାରିଛି। ମଧ୍ୟ ପ୍ରଦେଶର ୬ରୁ ୭ଟି ଜିଲ୍ଲାରେ ପ୍ରତି ରବିବାର ଲକଡାଉନ୍ କରାଯାଉଛି। ଏହାପରେ ରାତି ୮ଟା ୩୦ ମିନିଟରେ ଉଦ୍ଧବ ଠାକରେ ଜନତାଙ୍କୁ ସମ୍ବୋଧନ କରିବେ। କରୋନାକୁ ଦୃଷ୍ଟିରେ ରଖି କଡା କଟକଣା ନେଇ ଘୋଷଣା ହୋଇପାରେ। ପୁନେର ଡିଭିଜନାଲ କମିଶନର ସୌରଭ ରାଓ ଏହାର ଘୋଷଣା କରିଛନ୍ତି ଓ କହିଛନ୍ତି ଯେ, କଟକଣା କାଲିଠାରୁ ଲାଗୁ ହେବ। ଏହା ଅନୁସାରେ, ୭ ଦିନ ପାଇଁ ସମସ୍ତ ହୋଟେଲ, ବାର, ରେଷ୍ଟୁରାଣ୍ଟକୁ ବନ୍ଦ କରିବାର ନିର୍ଦେଶ ଦିଆଯାଇଛି। ତେବେ ଏହି ସମୟରେ ହୋମ୍ ଡେଲିଭରିର ଅନୁମତି ଦିଆଯିବ। ବିବାହ ଓ ଶୁଦ୍ଧଘର କାର୍ୟ୍ୟକୁ ଛାଡି କୌଣସି ସାର୍ବଜନୀକ କାର୍ୟ୍ୟକ୍ରମ ହେବନି। ଅନ୍ତିମ ସଂସ୍କାରରେ ୨୦ରୁ ଅଧିକ ଲୋକ ସାମିଲ ହେବେନି ସେଭଳି ବାହାଘରରେ ୫୦ ରୁ ଅଧିକଙ୍କୁ ଅନୁମତି ଦିଆଯିବନି। ଫିଲ୍ମ ହଲ୍, ଧାର୍ମିକ ସ୍ଥଳ, ମହାନଗରପାଳିକାର ବସ୍ ସେବା ମଧ୍ୟ ୭ ଦିନ ପାଇଁ ବନ୍ଦ ରହିବ। ୩୦ ଅପ୍ରେଲ ପର୍ୟ୍ୟନ୍ତ ସ୍କୁଲ-କଲେଜ ବନ୍ଦ ରହିବ। ଏସଟି ବସ୍ ସେବା ଚାଲୁ ରହିବ। ମହାରାଷ୍ଟ୍ରରେ ଗୁରୁବାର ୨୪ ଘଣ୍ଟା ଭିତରେ ୪୩୧୮୩ ନୂଆ ମାମଲା ଆସିଥିବା ବେଳେ ୨୪୯ ଜଣଙ୍କର ମୃତ୍ୟୁ ହୋଇଛି।