ଷ୍ଟାଡିଅମ ବାହାରେ ଦର୍ଶକଙ୍କ ଲମ୍ବା ଲାଇନ: ଟିକେଟ କଳାବଜାରୀ ଉପରେ କଡା ନଜର

0

ଭୁବନେଶ୍ୱର: ବଢ଼ୁଛି ଦର୍ଶକଙ୍କ ହାର୍ଟବିଟ୍ ।ସୁପର ସନ୍‌ଡେ’ରେ ଦେଖିବାକୁ ମିଳିବ ସୁପର ମୁକାବିଲା। ପିଚ୍ ରେଡି, ଗ୍ରାଉଣ୍ଡ ରେଡି, ଷ୍ଟାଡିୟମ ବି ତୟାର। ଇଣ୍ତିଆ ଇଣ୍ତିଆ ଧ୍ୱନିରେ କମ୍ପିବ ବାରବାଟୀ ଷ୍ଟାଡିଅମ । ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ସିରିଜର ଦ୍ୱିତୀୟ ଟି-୨୦କୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଅଢେଇ ବର୍ଷ ପରେ ଆଜି ବାରବାଟୀରେ ଟି-୨୦ ମ୍ୟାଚ ଖେଳାଯିବ । ଆଉ କିଛି ସମୟ ପରେ ବାରବାଟିରେ ଆରମ୍ଭ ହେବ ଟି-୨୦ ମ୍ୟାଚ ।ଅନ୍ୟପକ୍ଷେ ଦର୍ଶକଙ୍କ ପାଇଁ ଖୋଲା ହୋଇଯାଇଛି ବାରବାଟୀ ଷ୍ଟାଡିଅମ ଗେଟ । ଧିରେ ଧିରେ କରି ଷ୍ଟାଡିଅମ ମଧ୍ୟକୁ ପ୍ରବେଶ କରୁଛନ୍ତି କ୍ରିକେଟ ଫ୍ୟାନ୍ସ ।ତେବେ ଟିକେଟ କଳାବଜାରୀ ରୋକିବା ନିମନ୍ତେ ଟିକେଟର ଯାଞ୍ଚ ସହ ବାରକୋଡ଼ ସ୍କାନିଂ କରାଯାଉଛି । ଟିକେଟ କଳାବଜାରୀ ଉପରେ କଡା ନଜର ରଖିଛି ପୋଲିସ ।

ତେବେ ପଡିଆ ଭିତରକୁ ଯିବାକୁ ହେଲେ ଦର୍ଶକଙ୍କ ପାଇଁ ଅନେକ କଟକଣା ଲଗାଯାଇଛି । ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ନିଜ ନିଜ ଗେଟ୍ ଦେଇ ଭିତରକୁ ଯିବେ ଦର୍ଶକ । ସାଙ୍ଗରେ କେବଳ ମୋବାଇଲ୍ , ଚଷମା, ଟିକେଟ୍ , ମାସ୍କ ନେଇପାରିବେ । ପାଣି ବୋତଲ, ହେଲମେଟ୍, ଖୁଚୁରା ପଇସା ଏବଂ ଖାଇବା ପ୍ୟାକେଟ୍ ନେବା ମନା ହୋଇଛି । ସେହିଭଳି ବ୍ୟାଗ୍, ଲାଠି, ଲାଇଟର ଏବଂ ଦିଆସିଲି ବକ୍ସ ନେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।ଅନ୍ୟପଟେ ବାରବାଟୀରେ କିଏ ମାରିବ ବାଜି? ତାକୁ ସମସ୍ତଙ୍କ ଅପେକ୍ଷା ।