(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର):ବରଗଡ଼ ପୁରୁଣା ଜିଲ୍ଲା ମୁଖ୍ୟ ହସ୍ପିଟାଲ ହେବ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ସେଠାରେ ସିଟି ହସ୍ପିଟାଲ୍ କରିବା ଦାବିରେ ବରଗଡ଼ବାସୀ ଜୋରଦାର ଆନ୍ଦୋଳନ କରିଥିବା ବେଳେ, ଏହାକୁ ୩୦ ଶଯ୍ୟା ବିଶିଷ୍ଟ ଅର୍ବାନ CHCରେ ପରିଣତ କରିବା ଲାଗି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ରୋଗୀଙ୍କ ସୁବିଧା ପାଇଁ ପୁରୁଣା ହସ୍ପିଟାଲରୁ ନୂଆ ମୁଖ୍ୟ ଡାକ୍ତରଖାନାକୁ ମାଗଣାରେ ଆମ୍ବୁଲାନ୍ସ ଓ ବସ ସେବା ଯୋଗାଇ ଦିଆଯିବ। ଏହି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏମର୍ଜେନ୍ସି ଓ ଓପିଡି ସେବା ଉପଲବ୍ଧ ହେବ। ଆଜି ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ପୁରୁଣା ହସ୍ପିଟାଲକୁ ସିଟି ହସ୍ପିଟାଲ୍ କରିବା ଓ ବରଗଡ଼ରେ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା କରିବା ଦାବିରେ ଆଜି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳ ପ୍ରେଫେସର ଗଣେଶୀ ଲାଲ୍, ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଭେଟିଥିଲା। ଏପରିକି ମନ୍ତ୍ରୀ ସୁଶାନ୍ତ ସିଂ, ସାଂସଦ ପ୍ରସନ୍ନ ଆଚାର୍ୟ୍ୟ ମଧ୍ୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ଭେଟିଥିଲେ।