(ଚିତ୍ତରଞ୍ଚନ ସାହୁ): ପୁଅର ଦୀର୍ଘ ଆୟୁଷ ପାଇଁ ମାଁ ପୁଅଜୀଉନ୍ତିଆ ପୂଜା କରୁଥିବା ସମୟରେ ପୁଅର ଜୀବନ ନେଉଥିଲା ତାର ବଡ଼ ଭାଇ । ଏପରି ଦୁଃଖଦ ଘଟଣା ଘଟିଯାଇଛି ବରଗଡ଼ ସଦର ଥାନା ଅନ୍ତର୍ଗତ ଧଉରା ଖନ୍ଦା ଗାଁ ରେ। ଚାରି ବର୍ଷର ପୁଅ ସୁଦେଵ ଦାସ କୁ ତାର ବଡ଼ ବାପାଙ୍କ ୧୮ ବର୍ଷୀୟ ନାବଳିକ ପୁଅ ତଣ୍ଟି ଚିପି କୂଅରେ ପକେଇ ହତ୍ୟା କରିଛି । ଗତକାଲି ସନ୍ଧ୍ୟାରେ ଧଉରା ଖନ୍ଦା ଗାଁର ବାପା ଵିଷ୍ଣୁ ଚରଣ ଦାସ ଓ ମାଁ ମହେନ୍ଦ୍ରୀ ଦାସଙ୍କର ଏକ ମାତ୍ର ୪ ବର୍ଷର ପୁଅକୁ ହତ୍ୟା କରି କୂଅରେ ପକେଇ ଦିଆଯାଇଥିବା ସଦର ଥାନାରେ ଅଭିଯୋଗ ହୋଇଥିଲା । ବରଗଡ ସଦର ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ପହଞ୍ଚି କୂଅରୁ ଶବକୁ ଉଦ୍ଧାର କରିଥିଲେ । ପୁଅ ସୁଦେଵ କୁ ତାର ବଡ଼ବାପାର ପୁଅ ଗୁରୁଦେବ ନେଇଯାଉଥିବା ସମୟରେ ଗ୍ରାମବାସୀ ଦେଖିଥିବା କହିଥିଲେ । ତେବେ ସନ୍ଦେହ ଘେରରେ ରହିଥିବା ନାବଳିକ ଗୁରୁଦେବକୁ ପୋଲିସ ଜେରା କରିବା ପରେ ନିଜେ ବଖାଣିଦେଇଥିଲା କିପରି ନିର୍ମମ ଭାବରେ ସେ ହତ୍ୟା କରିଥିଲା ତାର ସାନଭାଇ କୁ । ପୁଅଜିଉନ୍ତିଆ ପୂଜା ଓ ଗାଁରେ ଚାଲିଥିବା କରମସାନି ପୂଜାରେ ସମସ୍ତେ ବ୍ୟସ୍ତ ଥିବାର ସୁଯୋଗ ନେଇ ସାନ ଭାଇ ସୁଦେଵକୁ ବଡ଼ ଭାଇ ଗୁରୁଦେବ ଅନ୍ୟତ୍ର ଡ଼ାକିନେଇ ଥିଲା ଏବଂ ସୁଯୋଗ ଦେଖି ସାନଭାଇର ତଣ୍ଟି ଚିପି ହତ୍ୟା କରିବାପରେ ତାକୁ ଦୟାନିଧି ଦାସଙ୍କର କୂଅ ଭିତରକୁ ଫିଙ୍ଗିଦେଇଥିବା ସ୍ୱୀକାର କରିଛି ଗୁରୁଦେବ ଦାସ । ସୂଚନା ଅନୁଯାୟୀ, ବଡ ଭାଇ ଛାୟାକାନ୍ତ ଦାସ ମଝିଆଁ ଭାଇ ଭୁଜପତି ଦାସ ଓ ସାନଭାଇ ଵିଷ୍ଣୁଚରଣ ଦାସ ଏହି ତିନି ଭାଇଙ୍କର କୌଣସି ପୈତୃକ ଚାଷଜମି ନଥିବା ବେଳେ ଧଉଁରାଖନ୍ଦା ଗାଁରେ ଅଧା ଏକର ଜାଗାରେ ନିର୍ମିତ ହୋଇଥିବା ପୈତୃକ ଘରେ ରହୁଥିଲେ । ସେମାନେ ରହୁଥିବା ଘର ଗୁଡ଼ିକର ଭାଗ ବଣ୍ଟା ହୋଇନଥିଲେ ମଧ୍ୟ ନିଜ ନିଜର ଘରେ ଅଲଗା ଭାବେ ରହୁଆସୁଥିଲେ । ତିନି ଭାଇଙ୍କର ଗୋଟେ ଗୋଟେ ପୁଅ ଥିବାବେଳେ ମଝିଆ ଭାଇ ଭୁଜପତି ଦାସଙ୍କ ପୁଅ ଗୁରୁଦେବ ଅଧିକ ଭାଗ ମିଳିବା ଆଶାରେ ତାର ଭାଇ ମାନଙ୍କୁ ହତ୍ୟା କରିବା ପାଇଁ ଚିନ୍ତା କରିଥିଲା ଏବଂ ସୁଯୋଗ ପାଇ ଵିଷ୍ଣୁଚରଣ ଦାସଙ୍କ ୪ ବର୍ଷର ପୁଅ ସୁଦେଵ ଦାସକୁ ଗତ କାଲି ହତ୍ୟା କରିଦେଇଥିବା ଅଭିଯୋଗ ହୋଇଛି । ସମ୍ପତ୍ତି ପାଇବା ଲାଳସା ଯୋଗୁଁ ନିଜ ସମ୍ପର୍କୀୟ ନିରୀହ ଭାଇର ଜୀବନ ନେବାକୁ ବି ପଛଘୁଞ୍ଚା ଦେଇନଥିବା ନାବଳିକ ଗୁରୁଦେବ ଏବେ ପୋଲିସ କବଜାରେ ରହିଥିବା ବେଳେ ପୁଅ ଜୀଉନ୍ତିଆ ଦିନରେ ନିଜ ପୁଅକୁ ହରାଇଥିବା ମାଁ ମହେନ୍ଦ୍ରୀଙ୍କର ଭଗବାନଙ୍କ ଉପରୁ ଉଠିଯାଇଛି ଆସ୍ଥା ଓ ବିଶ୍ୱାସ ।