ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା, ସୁଭଦ୍ରାଙ୍କ ରଥ ଟାଣିବେ ମହିଳା ଭକ୍ତ

0

ବାରିପଦା: ବାରିପଦାରେ ଆଜି ଗଡ଼ିବ ରଥ । ପୁରୀ ରଥଯାତ୍ରା ପରଦିନ ବାରିପଦାରେ ରଥଯାତ୍ରା ହୋଇଥାଏ । ଦୁଇ ଦିନ ଧରି ଚାଲିବ । ପ୍ରଥମ ଦିନରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇ ମାଉସୀ ମାଆ ମନ୍ଦିରରେ ପହଞ୍ଚିବା ପରେ ଆରମ୍ଭ ହୁଏ ଦେବୀ ସୁଭଦ୍ରାଙ୍କ ରଥ ଟଣା ।

ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀର ଗୁଣ୍ଡିଚା ଯାତ୍ରା ଦିନ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ତିନି ଠାକୁରଙ୍କ ପହଣ୍ଡି କରା ଯାଇଥାଏ। ପୁରୀ ରଥ ଯାତ୍ରାର ପର ଦୁଇ ଦିନ ଧରି ବାରିପଦାରେ ରଥ ଟଣାଯାଇଥାଏ। ତେଣୁ ବାରିପଦାରେ ଗତକାଲି ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିବା ବେଳେ ଆଜି ହେବ ରଥଟଣା । ଗତକାଲି ପରିଛାଙ୍କ ଦ୍ଵାରା ଛେରାପହଁରା ସେବା ପରେ ତିନି ଠାକୁରଙ୍କ ଗୋଟି ପହଣ୍ଡି କରାଯାଇ ରଥ ଉପରକୁ ଅଣା ଯାଇଥିଲା। ଶହ ଶହ ଭକ୍ତଙ୍କ ଗହଳି ଭିତରେ ରଥାରୂଢ଼ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି। ଆଜି ଭକ୍ତମାନେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥକୁ ମାଉସୀ ମା’ ମନ୍ଦିର ଯାଏଁ ଟାଣି ନେବେ । ଏହାପରେ କେବଳ ମହିଳାମାନେ ଦେବୀ ସୁଭଦ୍ରାଙ୍କ ରଥ ଅଧାବାଟ ଯାଏଁ ଟାଣି ନେବେ । ଆସନ୍ତାକାଲି ପୁଣି ସୁଭଦ୍ରାଙ୍କ ରଥ ଟଣା ହେବ ଏବଂ ପରେ ଜଗନ୍ନାଥଙ୍କ ରଥ ଟଣା ଯିବ । ବାରିପଦାରେ ପୁରୀ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣି ନେଇଥାନ୍ତି ।

ବାରିପଦା ରଥ। ଦୀର୍ଘ ବର୍ଷ ବର୍ଷର ସ୍ଵାକ୍ଷର ବହନକାରୀ ସ୍ମାରକୀ। ୧୫୭୫ ମସିହାରେ ତତ୍କାଳିନ ପ୍ରଜାବତ୍ସଳ ମହାରାଜା ବୈଦ୍ୟନାଥ ଭଞ୍ଜଙ୍କ ଦ୍ଵାରା ପରିକଳ୍ପିତ ଏହି ମହାନ ପାରଂପରିକ ଯାତ୍ରା । ପ୍ରତିବର୍ଷ ଚାଲି ଆସୁଥିବା ଏହି ମହାନ ପାରଂପରିକ ରଥଯାତ୍ରାରେ ଅ।ଉ ଏକ ଫର୍ଦ୍ଦ ଯୋଡି ହୋଇଥିଲା ୧୯୭୫ ମସିହା ପରଠାରୁ । ପୁରୀରେ ଯେଉଁ ଦିନ ଏହି ତିନିଠାକୁରଙ୍କ ଗୁଣ୍ଡିଚାଯାତ୍ରା ଅନୁଷ୍ଠିତ ହୋଇଥାଏ,ବାରିପଦାରେ ସେଥିରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ରଥଯାତ୍ରା ଦିନ କେବଳ ଶ୍ରୀଜୀଉମାନଙ୍କୁ ଗୋଟି ପହଣ୍ଡିରେ ପହଣ୍ଡି କରାଯାଇ ରଥାରୁଢ କରାଯାଇଥାଏ । ତେବେ ଏହି ରଥଯାତ୍ରାରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗତ ୧୯୭୫ ମସିହା ପରଠାରୁ ଏକ ସ୍ଵତନ୍ତ୍ର ପରିଚୟରେ ପରିଚିତ ହୋଇଆସିଛି। ତାହା ହେଉଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ କେବଳ ମହିଳାମାନଙ୍କୁ ଟାଣିବାର ସୁଯୋଗ ଦିଆଯାଇଥିଲା। ଏଭଳି ଏକ ନିଆରା ପରଂପରାକୁ ନେଇ ବାରିପଦାର ସୁଭଦ୍ରା ରଥ ଆଜି ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ପରିଚୟ ସୃଷ୍ଟି କରିପାରିଛି।