ଭୁବନେଶ୍ୱର: ରାଜଧାନୀରେ ପୁଣି ହିଟ୍ ଏଣ୍ଡ ରନ୍। ନିଶାଶକ୍ତ ଚାଳକଙ୍କ ଉନ୍ମତ୍ତ କାଣ୍ଡ। ଭାଙ୍ଗିଲେ ଓମ୍ଫେଡ୍ ଛକ ଚେକ୍ ପୋଷ୍ଟର ଏକାଧିକ ବ୍ୟାରିକେଡ଼। ସ୍କର୍ପିଓ ସହ ବ୍ୟାରିକେଡ଼ ଘୋଷାଡି ନେଇଛନ୍ତି ଚାଳକ। ଅଳ୍ପକେ ବର୍ତିଲେ 20ରୁ ଅଧିକ ଟ୍ରାଫିକ କର୍ମଚାରୀ। ଦୁର୍ଘଟଣା ଘଟାଇ ଫେରାର ହେଲା ଚାଳକ। ଚାଳକକୁ ଧରିବାକୁ ସ୍ମାର୍ଟ ସିଟି କ୍ୟାମେରା ଦେଖିବା ସହ ରାତିସାରା ପୁଲିସ୍ କରିଲା କସରତ।
ବିଳମ୍ୱିତ ରାତିରେ ଓମ୍ଫେଡ ଛକରେ ଟ୍ରାଫିକ ପୋଲିସ ପକ୍ଷରୁ ଚାଲିଥିଲା ବ୍ଲକିଂଚେକିଂ। ହଠାତ୍ ଦୃତ ଗତିରେ ଏକ ସ୍କର୍ପିଓ କାର୍ ଡ଼ମଣା ଛକରୁ ଆସି ଓମ୍ଫେଡ଼ ଛକ ଆଡ଼କୁ ମାଡି ଆସିଥିଲା। ଚେକିଂ ପାଇଁ ପୋଲିସ ଅଟକାଇ ଥିଲେ ମଧ୍ୟ ଚାଳକ ଜଣକ ନରହି ସମସ୍ତ ବାରିକେଡ ଭାଙ୍ଗିବା ସହ ଗୋଟିଏ ବ୍ୟାରିକେଡ଼ କୁ ଘୋଷାଡି ନେଇ ଯାଇଥିଲେ। ସବୁ ବ୍ୟାରିକେଡ଼ କୁ ପିଟିବା ସମୟରେ ସେଠାରେ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀ ମାନେ ଛିଟିକି ପଡ଼ିଥିଲେ। ଦୃତ ଗତିରେ ଚାଲୁଥିବା କାର୍ ଚକା ତଳେ ଗୋଟିଏ ଷ୍ଟିଲ ବ୍ୟାରିକେଡ଼ ଲାଖି ଯାଇଥିବାରୁ ରାସ୍ତା ସାରା ନିଆଁ ବାହାରୁଥିଲା। ଘଟଣା ସ୍ଥଳରୁ ଟ୍ରାଫିକ ଡିସିପି, ଏସିପି, ଥାନା ଅଧିକାରୀ ମିଶି ଗାଡ଼ିକୁ ପିଛା କରିଥିଲେ ହେଲେ ଚାଳକ ଜଣକ ବିଭିନ୍ନ ଗଳିରେ ପଶି ଯାଇଥିଲେ। ପରେ ଭୋର ସମୟ ପର୍ଯ୍ୟନ୍ତ ପୁଲିସ୍ ବିଭିନ୍ନ ଛକ ଓ ଛକରେ ଲାଗିଥିବା ସ୍ମାର୍ଟ ସିଟି କ୍ୟାମେରା ଦେଖି ତଦନ୍ତ ଚଳାଇଛି।