ବ୍ୟୁରୋ : ଚା’…. ଦିନର ଆରମ୍ଭ ହେଉ ଅବା ବ୍ୟସ୍ତ ଦିନର ଥକ୍କା ମେଣ୍ଟାଇବା ପାଇଁ ସମସ୍ତେ ପ୍ରଥମେ ଏହାକୁ ଆପଣେଇଥାନ୍ତି । ହେଲେ ୪ଟା ପରେ ଚା’ ପିଉଥିଲେ ହୋଇଯାଆନ୍ତୁ ହୁସିଆର୍! ସକାଳୁ ସକାଳୁ ଟିକେ ଗରମ ଚା’ ନ ପିଇଲେ ଦିନ ଟା ଯେମିତି ମାନ୍ଦାଳିଆ ଲାଗେ । କେହି ବେଡ୍ ଟି ଖୋଜନ୍ତି ତ ଆଉ କେହି ମର୍ଣ୍ଣିଂ ୱାକ୍ ପରେ ଚା’ ଖଟିରେ ବିଭିନ୍ନ ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଏ ।
ହେଲେ ଅତ୍ୟଧିକ ପରିମାଣର ଚା’ ହୋଇପାରେ ପ୍ରାଣଘାତୀ । କିନ୍ତୁ ଚା’ଅଭ୍ୟାସରେ ପଡ଼ିଥିବା ଲୋକ ଦୈନିକ ୧୦ ରୁ ୧୫ ଥର ଚା’ ନ ପିଇଲେ ତାଙ୍କ ମନ ଶାନ୍ତି ହୁଏନାହିଁ । ଏହି ଅଭ୍ୟାସ ମଣିଷର ସ୍ବାସ୍ଥ୍ୟ ପାଇଁ କେତେ ଠିକ୍? ଏନେଇ କ’ଣ କୁହନ୍ତି ଏକ୍ସପର୍ଟ? ଆସନ୍ତୁ ଜାଣିବା ।
ଚା’ରେ ଥିବା କେଫିନ୍ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଡାକ୍ତର ମଧ୍ୟ ଉପଦେଶ ଦିଅନ୍ତି । ଆଇସିଏମଆର ବା ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଅନୁସାରେ , ଚା’ଏବଂ କଫି ଉଭୟରେ କେଫିନର ମାତ୍ରା ଥାଏ । ଯାହା ସେଣ୍ଟ୍ରଲ୍ ନର୍ଭସ ସିଷ୍ଟମ୍ କୁ ଷ୍ଟିମୁଲେଟ୍ କରି ଅଭ୍ୟାସରେ ପରିଣତ କରାଇଥାଏ ।
୧୫୦ ମିଲି କପ୍ ଚା’ରେ ୩୦ ରୁ ୬୫ ମିଲିଗ୍ରାମ୍ କେଫିନ୍ ଥାଏ ତେଣୁ ବିଶେଷଜ୍ଞ ଦୈନିକ ୨ କପରୁ ଅଧିକ ଚା’ ନ ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । ଦିନକୁ ଏକ କପ୍ ଚା’ ପିଇବା ସ୍ବାସ୍ଥ୍ୟ ପ୍ରତି ଅହିତକର ନୁହଁ କିନ୍ତୁ ଚା’ସହ ଯଦି ସ୍ନାକ୍ସ ଖାଉଛନ୍ତି ଏହା ରୋଗ ଜନ୍ମାଇବାର ଏକ ବଡ଼ କାରଣ ହୋଇପାରେ । ଅନେକ ଲୋକ ଚା’ ସହ ବିସ୍କୁଟ୍ , ଟୋଷ୍ଟ୍ ଏବଂ ପକୋଡା ଭଳି ସ୍ନାକ୍ସ ଖାଇଥାନ୍ତି।
ଏହି ସ୍ନାକ୍ସରେ ଥିବା କ୍ୟାଲୋରୀ କେଫିନ୍ ସହ ମିଶି ଶରୀରକୁ ଆହୁରି ଖରାପ ହେବା ଦିଗରେ ନେଇଯାନ୍ତି । ଏହି ସ୍ନାକ୍ସରେ ୩୦୦ ରୁ ୪୦୦ କ୍ୟାଲୋରୀ ଥାଏ ଯାହା ବ୍ଲଡ୍ ସୁଗାର ବଢାଇବାର କାମ କରେ । ଡାଏବେଟିସ୍ , ଓଜନ ବୃଦ୍ଧି ଭଳି ସମସ୍ୟାକୁ ଡ଼ାକିଆଣେ ଚା’ ସହ ସ୍ନାକ୍ସ ସେବନ । ସେଥିପାଇଁ ଖାଦ୍ୟ ଖାଇବାର ଘଣ୍ଟାଏ ପୂର୍ବରୁ କିମ୍ବା ତୁରନ୍ତ ବାଦ୍ ଚା’ ପିଅନ୍ତୁ ନାହିଁ । ପର୍ୟ୍ୟାପ୍ତ ନିଦ , ଲିଭରରୁ ଟକ୍ସିନ୍ସକୁ ବାହାର କରିବା , କାର୍ଟିସୋଲ୍ ଲେବଲ୍ କୁ କମ୍ କରିବା ଏବଂ ପାଚନତନ୍ତ୍ରକୁ ବଢାଇବା ପାଇଁ ଶୋଇବାର ୧୦ ଘଣ୍ଟା ପୂର୍ବରୁ ଚା’ ପିଇବାକୁ ବିଶେଷଜ୍ଞ କୁହନ୍ତି ।