ବ୍ୟୁରୋ : ବାରମ୍ବାର ସାମ୍ନାକୁ ଆସୁଛି ସ୍ୱାସ୍ଥ୍ୟବସ୍ଥାର ବିକଳ ଚିତ୍ର । ଖରାପ ରାସ୍ତା ରୋଗୀ ପାଖରେ ପହଞ୍ଚିବାକୁ ବାଧା ସୃଷ୍ଟି କରୁଛି । ଗାଁ କୁ ରାସ୍ତା ନଥିବାରୁ ଖଟିଆରେ ବୁହା ହେଉଛନ୍ତି ଗର୍ଭବତୀ । ଆମେ କହୁଛୁ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ର ତାଳପଦା ପଞ୍ଚାୟତର ଗୁରୁମ ଗାଁ କଥା । ଗାଁକୁ ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ। ତେଣୁ ଜଣେ ଗର୍ଭବତୀଙ୍କୁ ଖଟରେ ବୋହି ନେଇ ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଲେ ପରିବାର ଓ ଗାଁ ଲୋକେ। ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।
ଗାଁର ଧୁବେଇ ମୁଣ୍ଡାଙ୍କ ପତ୍ନୀ ମାନି ମୁଣ୍ଡାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଯାଇପାରି ନଥିଲା। ଆମ୍ବୁଲାନ୍ସ ତାଳପଦା ହାଇସ୍କୁଲ ପାଖରେ ଅଟକି ଥିଲା। ସେଥିପାଇଁ ଗାଁ ଲୋକଙ୍କ ସହାୟତାରେ ପରିବାର ଲୋକେ ଗର୍ଭବତୀ ମାନିଙ୍କୁ ଖଟରେ ବୋହି ଦୁଇଟି ନାଳ ପାର କରାଇ ପ୍ରାୟ ଏକ କିଲୋମିଟର ଦୂରରେ ଅଟକିଥିବା ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ। ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାନି ଡାକ୍ତରଖାନାରେ ଏକ ପୁତ୍ର ସନ୍ତାନ ପ୍ରସବ କରିଥିବା ବେଳେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।