ବାତିଲ ହେଲା ବିୟର ଫ୍ୟାକ୍ଟ୍ରି ପ୍ରସ୍ତାବ

0

(ରିପୋର୍ଟସ ଟୁଡେ) ଶେଷରେ ଦାବି ମାନିଲେ ସରକାର । ବାତିଲ ହେଲା ବିୟର ଫ୍ୟାକ୍ଟ୍ରି ପ୍ରସ୍ତାବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିୟର ଫ୍ୟାକ୍ଟ୍ରି ବାତିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଦୁଃଖର ବିଷୟ ଏଥିପାଇଁ ବଳି ପଡିସାରିଛି ହଜାରେ ବୃକ୍ଷ । ହଜାର ବୃକ୍ଷ କଟାଯିବା ପରେ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା । ଏପରିକି ସ୍ଥାନୀୟ ଗ୍ରାମବାସୀ କଟା ଗଣ୍ଡିକୁ ଧରି କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରିକି ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ସମାଲୋଚନାର ଶିକାର ହୋଇଥିଲେ ରାଜ୍ୟ ସରକାର । ଏହାପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଥିଲା । ରାଜ୍ୟ ସରକାର ଏହାର ଆରଡିସି ତଦନ୍ତ ନିର୍ଦ୍ଦେଶ ଦେବା ସହ ଗଛ କଟା ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ତେବେ ଆଜି ଆରଡିସିଙ୍କ ରିପୋର୍ଟ ଆଧାରରେ ଏହି ପ୍ରସ୍ତାବକୁ ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ମୁଖ୍ୟମନ୍ତ୍ରୀ ଗଛ କଟା ତୁରନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହଜାରେରୁ ଅଧିକ ଗଛ କାଟି ସାରିଲା ପରେ ଗଛ କଟା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଢେଙ୍କାନାଳର ବଳରାମପୁରରେ ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟାକୁ ତୁରନ୍ତ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଆରଡିସିଙ୍କୁ ମଧ୍ୟ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତେବେ ସବୁଠାରୁ ଦୁଃଖର କଥା ହେଉଛି ମଦ ଫ୍ୟାକ୍ଟ୍ରି ପାଇଁ ହଜାରେ ଗଛ କଟାଯିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ।