ମହାପ୍ରଭୁଙ୍କ ବେଶକାରିଗରଙ୍କୁ ପିଏମ ବିଶ୍ୱକର୍ମା ଯୋଜନାରେ କରାଯାଇଛି ଅନ୍ତର୍ଭୁକ୍ତ

0

ପୁରୀ /ସଞ୍ଜୟ  ମହାପାତ୍ର  : ମହାପ୍ରଭୁ ପହଣ୍ଡିରେ ଆସୁଥିବା ବେଳେ ତାଙ୍କ ମସ୍ତକରେ ଶୋଭା ପାଉଥାଏ ଟାହିଆ। ଆଉ ଏହି ଟାହିଆକୁ ପ୍ରସ୍ତୁତ କରିଥାନ୍ତି ମହାପ୍ରଭୁଙ୍କ ବେଶକାରିଗର। କେବଳ ସେତିକି ନୁହେଁ ସ୍ନାନମଣ୍ଡପରେ ହାତୀବେଶ ହେଉ କି ରତ୍ନବେଦୀରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେଉ। ଏସବୁ ନିଜ ହାତରେ ଗଢିଥାନ୍ତି ଏହି ବେଶ କାରିଗର। ତେବେ କେନ୍ଦ୍ର ସରକାରଙ୍କ ପିଏମ୍ ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ ଅବସରରେ ମହାପ୍ରଭୁଙ୍କ ଦୁଇ ବେଶକାରିଗରଙ୍କୁ ସମ୍ମାନିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀରେ ଏକ ଭବ୍ୟ ସମାରୋହରେ ଶ୍ରୀମନ୍ଦିର ବେଶକାରିଗର ବସନ୍ତ ରଣା ଓ ବାବୁ ରଣାଙ୍କୁ ମାନପତ୍ର ପ୍ରଦାନ କରିବା ସହ ପିଏମ୍ ବିଶ୍ୱକର୍ମା ଯୋଜନାରେ ଅନ୍ତର୍ଭୁକ୍ତ କରିଛନ୍ତି। ଏଥିସହିତ ଜଗନ୍ନାଥଙ୍କ ସେବାରେ ଲାଗିଥିବା ବେଶ କାରିଗର ଓ ଅନ୍ଯ କାରିଗର ମାନଙ୍କ ତାଲିକା ଦେବା ପାଇଁ  ମଧ୍ୟ ପରାମର୍ଶ ଦିଆଯାଇଛି ବୋଲି  ପୁରୀରେ ପହଞ୍ଚିବା ପରେ କହିଛନ୍ତି ବସନ୍ତ ରଣା। ତେବେ ମହାପ୍ରଭୁଙ୍କ ବେଶକାରିଗର ବୋଲି ଜାଣିବା ପରେ ପ୍ରଧାନମନ୍ତ୍ରୀ  ଖୁସି ହେବା ସହ ସେଠାରେ ବେଶ୍ ସମ୍ମାନ ମିଳିଥିବା କହିଛନ୍ତି । ତେବେ କାରିଗର ମାନଙ୍କର ଉନ୍ନତି ପାଇଁ ଓଡିଶାରେ ତିନୋଟି ସ୍ଥାନ ପୁରୀ, ଭୁବନେଶ୍ୱର ଓ ସମ୍ବଲପୁରରେ ତାଲିମ କେନ୍ଦ୍ର ଖୋଲାଯିବ ବୋଲି ନିସ୍ପତ୍ତି ହୋଇଥିବା କହିଛନ୍ତି ବସନ୍ତ। ତେବେ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ସମ୍ମୁଖରେ ବସନ୍ତ ରଣା ଓ ବାବୁ ରଣାଙ୍କୁ ଭବ୍ଯ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ତାଙ୍କୁ ସ୍ୱାଗତ କରିଛନ୍ତି। ମହାପ୍ରଭୁଙ୍କ ବେଶକାରିଗର ଭାବେ ନିଷ୍ଠା ଓ  ଅଧ୍ଯବସାୟ ଯୋଗୁଁ ଦିଲ୍ଲୀ ଭଳି ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ହାତରୁ ସମ୍ମାନିତ ହୋଇ ଅଞ୍ଚଳର ଗର୍ବ ଓ ଗୌରବ ପ୍ରତିଷ୍ଠା କରିଥିବା କହିଛନ୍ତି ପୁରୀ ବିଧାୟକ।