ଭୁବନେଶ୍ୱର : ଭାଙ୍ଗ ବିକିଲେ ଜେଲ ଯିବେ । ନିଶାଦ୍ରବ୍ୟ ତାଲିକାରେ ଭାଙ୍ଗ ଗଣା ହେବା ନେଇ ଅବକାରୀ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ବିଶୃଙ୍ଖଳା, ଶତ୍ରୁତା,ବିକୃତି, ମତିଭ୍ରମ ଓ ହିତାହିତ ହରିବାର କାରଣ ହେଉଛି ଭାଙ୍ଗ ।
ଗଂଜେଇ ଗଛର ପତ୍ରରୁ ଭାଙ୍ଗ ତିଆରି ହୁଏ । ଏହାର ସେବନ ଦ୍ୱାରା ମାନସିକ ସ୍ଥିତି ବିଗିଡି ଯାଇଥାଏ । ତେଣୁ ଆଇନରେ ଥିବା ନିୟମାନୁସାରେ ଏବଂ କ୍ଷମତାକୁ ବ୍ୟବହାର କରି ରାଜ୍ୟ ସରକାରଙ୍କ ପକ୍ଷରୁ ଭାଙ୍ଗ ମାଦକ ଦ୍ରବ୍ୟ ବୋଲି ଘୋଷଣା କରାଯାଇଛି । ଓଡିଶା ଅବକାରୀ ଆଇନ ୨୦୦୮ ତଥା ୨୦୧୩ର ଓଡିଶା ଆଇନ ୧୦ର ଧାରା ୨ ଦ୍ୱାରା ଏହା ଏକ ମାଦକ ଦ୍ରବ୍ୟ ବୋଲି ଘୋଷଣା ହୋଇଛି । ତେବେ ସରକାରଙ୍କର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଯଦି ସରକାରଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଏ ତେବେ ଭାଙ୍ଗର ଖୁଲମଖୁଲା ବିକ୍ରି ଉପରେ ରୋକ ଲଗାଯାଇପାରିବ ବୋଲି ଚର୍ଚ୍ଚା ହେଉଛି ।