ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ରାଇରଙ୍ଗପୁର ପଂଚାୟତ ସମିତି ତରଫରୁ ଆଜି ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଦିନିକିଆ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ରେ ମୋଟ ୪୪୧ ଜଣ ଭିନ୍ନକ୍ଷମ ଙ୍କୁ ଚି଼ହ୍ନଟ କରାଯାଇଛି । ରାଇରଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ଙ୍କ ତତ୍ୱାବଧାନ ରେ ଉକ୍ତ ଶିବିର ଅନୁଷ୍ଠିତ ହୋଇଥିଲା । ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଶିବିର କୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଜ୍ଞାନ ରଞ୍ଜନ ହେମ୍ବ୍ରମ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ନାରାୟଣ ବେହେରା, ରାଇରଙ୍ଗପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରଂଜିତ ସୋରେନ, ରାଇରଙ୍ଗପୁର ଅତିରିକ୍ତ ତହସିଲଦାର ମିସ ରାଜେଶ୍ୱରୀ ମାଝୀ ଓ ସାଂସଦ ପ୍ରତିନିଧି ଶ୍ରୀ ସଞ୍ଜୟ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ପଣ୍ଡା ଏହି ଶିବିର ଆୟୋଜନ ର ଆଭିମୁଖ୍ୟ ଓ ଉପାଦେୟତା ସମ୍ଭନ୍ଧ ରେ ଉପସ୍ଥାପନ କରିବା ସହ ଆଜିର ଏହି ଶିବିର ରେ ମୁଖ୍ୟତଃ ବିଭିନ୍ନ ପ୍ରକାର ଭିନ୍ନକ୍ଷମ ବ୍ୟକ୍ତିଙ୍କ ଭତ୍ତା ପାଇଁ , ଯାତାୟାତ ପାଇଁ ବସ ପାସ ଯୋଗାଇଦେବା ଏବଂ ବ୍ୟାଙ୍କ ରୁ ଋଣ ପାଇବା ନେଇ ପ୍ରମାଣ ପତ୍ର ପ୍ରଦାନ ଇତ୍ୟାଦି ରହିଛି ବୋଲି ବ୍ୟକ୍ତ କରିଥିଲେ । ସେହିପରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଭିନ୍ନକ୍ଷମ ଙ୍କ ପାଇଁ ଉଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ଓ ଆର୍ଥିକ ସହାୟତା ସମ୍ଭନ୍ଧ ରେ ସୂଚନା ପ୍ରଦାନ କରିବା ସହ ଭିନ୍ନକ୍ଷମ ଙ୍କ ପାଇଁ ପ୍ରତି ମାସରେ ବାରିପଦା ଠାରେ ୧ ତାରିଖ ରେ ମେଡିକାଲ ବୋର୍ଡ଼ ବସୁଥିବା ଭଳି ଏଣିକି ପ୍ରତି ମାସର ୧୬ ତାରିଖ ରେ ରାଇରଙ୍ଗପୁର ଠାରେ ଭିନ୍ନକ୍ଷମ ଙ୍କ ପାଇଁ ମେଡିକାଲ ବୋର୍ଡ଼ ବସିଵା ନେଇ ଘୋଷଣା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଦାଶ ଏହି ଯୋଜନା ର ନାମକରଣ ର ଯଥାର୍ଥତା ପ୍ରତିପାଦନ କରିବା ସହ ଇତିହାସ ର ପୃଷ୍ଟଭୂମି ସ୍ମୁତିଚାରଣ କରି ଏହି ଶିବିର ର ପରିକଳ୍ପନା ପ୍ରଥମେ ମୟୁରଭଞ୍ଜ ଜିଲ୍ଲା ରେ ଆରମ୍ଭ ହୋଇଥିଲା ବୋଲି ଉଲ୍ଲେଖ କରିଥିଲେ । ଭିନ୍ନକ୍ଷମ ମାନେ ସାଧାରଣ ଭାବେ ସକ୍ଷମ ନହେଲେବି ସ୍ୱତନ୍ତ୍ର ଭାବେ ସକ୍ଷମ । ତେଣୁ ସରକାର ଙ୍କ ବିଭିନ୍ନ ଯୋଜନା ମାଧ୍ୟମ ରେ ସେମାନଙ୍କୁ ଉପଯୁକ୍ତଭାବେ ସାମର୍ଥ୍ୟ କରାଇ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ କରାଇବା ହେଉଛି ଏହି ଶିବିର ର ମୂଳ ଲକ୍ଷ୍ୟ । ତେଣୁ ଏ ଅଂଚଳ ର ସମସ୍ତ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ଶିବିର କୁ ଆସି ସରକାର ଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ଯୋଜନା ର ସୁଯୋଗ ନେବାପାଇଁ ପରାମର୍ଶ ଦେଇଥିଲେ । ଆଜିର ଅନୁଷ୍ଠିତ ଶିବିର ରେ ରାଇରଙ୍ଗପୁର ବ୍ଲକ ତଥା ପୌରପାଳିକା ଅଂଚଳ ର ପ୍ରାୟ ୪୪୧ ବିଭିନ୍ନ ପ୍ରକାର ଭିନ୍ନକ୍ଷମ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ । ବାରିପଦା ଓ ରାଇରଙ୍ଗପୁର ଡାକ୍ତରଖାନା ର ବିଭିନ୍ନ ଚିକିତ୍ସା ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଭିନ୍ନକ୍ଷମଙ୍କୁ ପରୀକ୍ଷା କରି ଚି଼ହ୍ନଟ କରିଥିଲେ. ଶିବିର ରେ ଆଜି ଅସ୍ଥି ଶଲ୍ୟ ରେ ୮୬, ପକ୍ଷାଘାତ ରେ ୪, ଦୃଷ୍ଟିବାଧିତ ରେ ୧୫ ଜଣ, ମାନସିକ ଅନଗ୍ରସର ରେ ୨୬ ଜଣ, ଇ ଏନ ଟି ରେ ୧୬ ଜଣ, ମାଇନର ସର୍ଜରୀ ପାଇଁ ୧୦ ଜଣ ଓ ଅନ୍ୟାନ୍ୟ ୩ ଜଣଙ୍କୁ ଚି଼ହ୍ନଟ କରାଯାଇଥିଲା । ସେହିପରି ଵାଣିଶ୍ରୀ ମେଧା ବୃତ୍ତି ପାଇଁ ୧୧ ଜଣ , ଜାତୀୟ ମେଧାବୃତ୍ତି ପାଇଁ ୦୧ ଜଣ, ଡି ଆର ଆଇ ଋଣ ପାଇଁ ୯ ଜଣ, ଭତ୍ତା ପାଇଁ ୬୮ ଜଣ, ବିବାହ ସହାୟତା ପାଇଁ ୦୧ ଜଣ ଓ ଉଚ୍ଚତ୍ତର ଅଧ୍ୟୟନ ନିମନ୍ତେ ୦୧ ଜଣ କୁ ଚୟନ କରାଯାଇଛି । ୯୯ ଜଣଙ୍କୁ ସହାୟତା ଉପକରଣ,୧୩୫ ଜଣଙ୍କୁ ବସ ପାସ, ଇନକମ ପ୍ରମାଣ ପତ୍ର ପାଇଁ ୧୪୬, ଦକ୍ଷତା ତାଲିମ ପ୍ରଦାନ ପାଇଁ ୦୭ ଜଣଙ୍କୁ ଏବଂ ହାଉସିଂ ପାଇଁ ୫୭ ଜଣଙ୍କୁ ମନୋନୀତ କରାଯାଇଛି । ଏହି ଅବସରରେ ସମ୍ପୂର୍ଣ୍ଣ ଦୃଷ୍ଟିବାଧିତ ଵାଲେଇ ଶ୍ରୀ ମୁର୍ମୁ ଓ ଶ୍ରଵଣବାଧିତ ଶ୍ରୀ କମଲ ମୁଣ୍ଡା ଙ୍କୁ ମୁଖ୍ୟ ଅତିଥି ଓ ନିମନ୍ତ୍ରିତ ଅତିଥି ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଉକ୍ତ ଶିବିର ପରିଚାଳନା ରେ ବ୍ଲକ କାର୍ଯ୍ୟାଳୟ ର କର୍ମଚାରୀ ମାନେ ସହଯୋଗ କରିଥିବା ବେଳେ ଶିକ୍ଷକ ଶ୍ରୀ ରଞ୍ଜନ ନନ୍ଦ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ ର ପ୍ରଚାର ଓ ପ୍ରସାର ନିମନ୍ତେ ପଦକ୍ଷେପ ନେଇଥିଲେ ବୋଲି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଙ୍କ ଠାରୁ ପ୍ରକାଶ ।