ଭୁବନେଶ୍ୱର-: ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱର ଲୋୟର ପିଏମଜି । ବିଜେଡି କର୍ମୀ ଓ ପୋଲିସ ପ୍ରଶାସନ ହୋଇଛନ୍ତି ମୁହାଁମୁହିଁ । ଆନ୍ଦୋଳନକାରୀଙ୍କ ଉପରକୁ ପାଣି ଓ ଟିୟର ଗ୍ୟାସ ମାଡ କରିଛି ପୋଲିସ । ବିଜେଡିର କିଛି ନେତା ଓ କର୍ମୀଙ୍କୁ ଉଠାଇନେଇଛି କମିଶନରେଟ ପୋଲିସ । ପୋଲିସ ସହ ମୁହାଁମୁହିଁ ପରିସ୍ଥିତିରେ ପ୍ରଣବ ପ୍ରକାଶ ଦାସଙ୍କ ସହ ଅନେକ ବରିଷ୍ଠ ନେତା ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ବାଲେଶ୍ୱର ଏଫ ଏମ କଲେଜ ଛାତ୍ରୀ ମୃତ୍ୟୁ ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦାବିରେ ବିଜେଡି ଲୋୟର ପିଏମଜିରେ ବଡ଼ ଆନ୍ଦୋଳନ କରି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିବାବେଳେ ହଜାର ହଜାର ବିଜେଡି କର୍ମୀଙ୍କୁ ଅଟକାଇଛି ପୋଲିସ । ଏହାସହ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ପୋଲିସ ପାଣିମାଡ଼ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରିଛି । ଶତାଧିକ ଆନ୍ଦୋଳନକାରୀଙ୍କୁ ପୋଲିସ ଜୋର ଜବରଦସ୍ତ ଉଠାଇ ନେଇଥିବା ବେଳେ ଟିୟର ଗ୍ୟାସ ମାଡ଼ରେ ପ୍ରଣବପ୍ରକାଶ ଦାସ ଆହତ ହୋଇଥିବା ସୂଚନା । ତାଙ୍କ ଗୋଡ଼ରେ ଟିୟର ଗ୍ୟାସ ବାଜିଥିବା ସୂଚନା ମିଳିଛି । ସେହିପରି ସୁଲତା ଦେଓ ଏବଂ ପ୍ରୀତିରଞ୍ଜନ ଘଡେଇ ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।