ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନର ହେବ ନବକଳେବର ; ଓଡ଼ିଶାରେ ଜାନୁଆରି ୨୬ ପୂର୍ବରୁ ୫-ଜି ସେବା ଆରମ୍ଭ ହେବ

ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ

0

ଭୁବନେଶ୍ୱର : ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନର ହେବ ନବକଳେବର। ଆଜି ଏହି ପ୍ରକଳ୍ପ ପାଇଁ ହେଉଛି ଭୂମି ପୂଜନ । ରେଳ ଯାତ୍ରୀଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇ ଦେବାକୁ ଏହି ପ୍ରକଳ୍ପ ପାଇଁ ୩୦୮ କୋଟିର ବ୍ୟୟବରାଦ କରାଯାଇଛି । ଏହା ୨୪ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳ ବିକାଶ ଲାଗି ଓଡ଼ିଶା ପାଇଁ ୧୦ ହଜାର କୋଟି ଟଙ୍କା ଦେଇଛନ୍ତି। ଭୁବନେଶ୍ୱର ରେଳ ଷ୍ଟେସନ୍‌ର ମାଷ୍ଟରକ୍ୟାଣ୍ଟିନ୍ ଓ ୬ ନମ୍ବର ଗେଟ୍‌କୁ ଅଧିକ ସୁଗମ ସହ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ କରାଯିବ। ପ୍ରତିଦିନ ଦେଢ଼ ଲକ୍ଷ ଯାତ୍ରୀଙ୍କ ଯା’ଆସ ପାଇଁ ବ୍ୟବସ୍ଥା ହେବ। ଏହି ଷ୍ଟେସନରେ ବିମାନବନ୍ଦର ପରି ସମସ୍ତ ପ୍ରକାର ସୁବିଧା ମିଳିବ।

ଭୁବନେଶ୍ୱରରୁ ଭଦ୍ରକକୁ ମଧ୍ୟ ଏକ ନୂଆ ଟ୍ରେନ୍ ଚଳାଚଳ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ତେବେ ଏହି ଭୂମି ପୂଜନ କାର୍ଯ୍ୟ କ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ | ଏପରିକି ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ସୁର ରାଉତରାୟ ଓ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇଛନ୍ତି। ରେଲ୍‌ୱେ ଷ୍ଟେସନର ଭୂମିପୂଜନ ଅବସରରେ ୫-ଜି ସେବା ଆରମ୍ଭ ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ । ଟେଲିକମ୍ କ୍ଷେତ୍ରରେ ବିକାଶ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୬୦୦ କୋଟି ଟଙ୍କା ଦେଇଛନ୍ତି। ଓଡ଼ିଶାରେ ଜାନୁଆରି ୨୬ ପୂର୍ବରୁ ୫-ଜି ସେବା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଅଶ୍ବିନୀ ବୈଷ୍ଣବ।