ଫତେପୁର ସିକ୍ରିରେ ଫଟୋ ଉଠାଉଥିବା ବେଳେ ବଡ ଅଘଟଣ : ୯ ଫୁଟ ଉଚ୍ଚରୁ ଖସି ଚାଲିଗଲା ଜୀବନ

0

ବ୍ୟୁରୋ: ଫଟୋ ଉଠାଇବା ହେଲା କାଳ । ଅକାଳରେ ଚାଲିଗଲା ଜୀବନ । ଭାରତ ବୁଲି ଆସି ଆଖି ବୁଜିଲେ ଫ୍ରେଞ୍ଚ ନାଗରିକ । ଫତେପୁର ସିକ୍ରିଠାରେ ଫଟୋ ଉଠାଉଥିବା ବେଳେ ଘଟିଛି ଏକ ବଡ ଅଘଟଣ । ୯ ଫୁଟ ଉଚ୍ଚରୁ ଖସି ପଡ଼ି ଚାଲିଯାଇଛି ଜୀବନ । ଏକ କାଠ ପାହାଚରେ ଛିଡ଼ା ହୋଇ ଫଟୋ ଉଠାଉଥିବା ବେଳେ ରେଲିଂ ଭାଙ୍ଗି ଯିବାରୁ ଏପରି ଦୁର୍ଘଟଣା ଘଟିଛି। ଅପରାହ୍ନ ପ୍ରାୟ ୧ ଟା ସମୟରେ ଘଟିଛି ଏପରି ଦୁଘଟଣା । ମହିଳାଜଣକ ନିଜର କିଛି ସାଥୀଙ୍କ ସହ ଫ୍ରାନ୍ସରୁ ବୁଲିବା ନିମନ୍ତେ ଭାରତ ଆସିଥିଲେ । ସେମାନେ ବିଭିନ୍ନ ପର୍ୟ୍ୟଟନ ସ୍ଥଳୀ ବୁଲି ସାରିବା ପରେ ଫତେପୁର ସିକ୍ରି ବୁଲି ଯାଇଥିଲେ। ସେଠାରେ ସେମାନେ ବୁଲାବୁଲି ସହ ଫଟୋ ଉଠାଉଠି କରିଥିଲେ। ମହିଳାଜଣକ ନିଜର କିଛି ସାଥିଙ୍କ ସହ ଏକ କାଠ ପାହାଚରେ ଫଟୋ ଉଠାଉଥିଲେ। ମାତ୍ର ଉକ୍ତ ସମୟରେ ଅତ୍ୟଧିକ ଓଜନ ହେତୁ ରେଲିଂଟି ଭାଙ୍ଗି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ ମହିଳାଜଣକ ତଳେ ପଡ଼ି ଯାଇଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ ଓ ପରେ ଆଗ୍ରା ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।