ପୁରାତନ କୀର୍ତ୍ତିରାଜିରେ ଭରପୁର ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ

0

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଦିନକୁ ଦିନ ନୂଆ ନୂଆ ରୂପରେ ଛିଡ଼ା ହେଉଛି । ପ୍ରତିଦିନ ନୂତନ ତଥ୍ୟା ଲୋକଲୋଚନକୁ ଆସୁଛି । ଗତ ୧୭ତାରିଖରେ ଏମାର ମଠ ପରିସରରେ ଖନନ କାର୍ଯ୍ୟ ଚାଲୁଥିବା ବେଳେ ଏକ ଭଙ୍ଗା ସିଂହମୂର୍ତ୍ତି ମିଳିଥିଲା । ଏହାକୁ ନେଇ ସବୁ ବର୍ଗର ଲୋକେ ସରକାରଙ୍କୁ ଘେରିଥିବା ବେଳେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସ୍ଆଇ)ର ଆଞ୍ଚଳିକ ଅଧିକ୍ଷକ ଅରୁଣ ମଲ୍ଲିକ ଯେଉଁ ବୟାନ ଦେଇଛନ୍ତି, ତାହା ବିସ୍ଫୋରକ ସଦୃଶ ସାରା ରାଜ୍ୟରେ ଫୁଟିଛି । ତେବେ ସବୁ ଜାଣିବା ସତ୍ତେ୍ୱ ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ନିକଟରେ ଖନନ କାର୍ଯ୍ୟ କରୁଥିବା ସ୍ପଷ୍ଟ ହୋଇଛି ।

ଏକ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟ ଅନୁସାରେ ଅଧିକ୍ଷକ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ପୁରୀ ଏକ ଐତିହ୍ୟ ସମ୍ପନ୍ନ ସ୍ଥଳ । ଶ୍ରୀ ଜଗନ୍ନାଥ ମନ୍ଦିରର ଆଖପାଖ ଅଞ୍ଚଳ ବହୁ ପୁରାତନ କୀର୍ତ୍ତିରାଜିରେ ପରିପୂର୍ଣ୍ଣ । ତେଣୁ ସେଠାରେ ଯେତେବେଳେ ଯେକୌଣସି ଖନନ କାର୍ଯ୍ୟ କରାଯିବ, ସେଠାରୁ ପୁରାତନ କୀର୍ତ୍ତିରାଜି ଯଥେଷ୍ଟ ପରିମାଣରେ ମିଳିବା ସମ୍ଭାବନା ରହିଛି । ମୁଁ ଏକଥା ଆଜି କହୁନାହିଁ, ଏହି ବିଷୟରେ ଅନେକ ସମୟରେ ରାଜ୍ୟ ଅଧିକାରୀଙ୍କ ସହ ବୈଠକ କରି ଜଣାଇଛି ।

ଏମାର ମଠ ପରିସରରୁ ଭଙ୍ଗା ସିଂହମୂର୍ତ୍ତୀ ମିଳିବା ଘଟଣାରେ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଓବିସିସିର ଅନୁରୋଧକ୍ରମେ ଆମେ ସେଠାକୁ ଯାଇ ଯାଞ୍ଚ କରିଥିଲୁ । ସେହି ମୂର୍ତ୍ତୀ ନିଶ୍ଚିତ ଭାବେ ଏକ ପୁରାତନ କୀର୍ତ୍ତିରାଜି । ଏହାଛଡା ସେଠାରେ ଆହୁରି ଅଧିକ କୀର୍ତ୍ତିରାଜି ରହିଛି । ତେବେ ଏନେଇ ରିପୋର୍ଟ ସମ୍ପୂର୍ଣ୍ଣ ହେବା ପରେ ରାଜ୍ୟ ଉଚ୍ଚ ଅଧିକାରୀଙ୍କୁ ପ୍ରଦାନ କରାଯିବ । ହେଲେ ସେଠାରେ କାମ ବନ୍ଦ କରାଯିବ କି ନାହିଁ, ସେନେଇ ଉଚ୍ଚ ଅଧିକାରୀ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

ଅନ୍ୟପକ୍ଷେ, ଏଏସ୍ଆଇର ଆଞ୍ଚଳିକ ଅଧିକ୍ଷକ ଅରୁଣ ମଲ୍ଲିକଙ୍କ ଏହି ବୟାନ ପୂର୍ବରୁ ପୁରୀ ସାଂସଦଙ୍କ ବୟାନ ଆଉ ଏକ ଚିତ୍ର ପ୍ରଦର୍ଶନ କରୁଛି । ସାଂସଦ ପିନାକୀ ମିଶ୍ର ଟ୍ୱିଟ କରି କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥଳ ଖନନ ପାଇଁ ଜିପିଆରଏସ୍ ସର୍ଭେ କରାଯାଇଛି । ଏ ସମ୍ପର୍କିତ ସମସ୍ତ ତଥ୍ୟ ପ୍ରମାଣ ସତ୍ୟପାଠ ସହିତ ହାଇକୋର୍ଟରେ ଦାଖଲ କରାଯିବ । ଫଳରେ ସବୁ ବିବାଦର ଅନ୍ତ ଘଟିବା ସହ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଯଦି ଜିପିଆରଏସ୍ ସର୍ଭେ ହୋଇଥିଲା, ତେବେ ମାଟି ତଳେ କ’ଣ ରହିଛି, ତାହା କିପରି ଜଣାପଡିଲା ନାହିଁ । ଏବେ ଖନନ ପରେ ବହୁ ପୁରାତନ କୀର୍ତ୍ତିରାଜିର ସନ୍ଧାନ ମିଳୁଛି ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି ।