ଚାଲିଛି ପ୍ରେମ ସପ୍ତାହ । କେହି ପ୍ରେମ ବିବାହ ତ ଆଉ କେହି ବିବାହ ପରେ କରନ୍ତି ପ୍ରେମ । ସେମିତି ଜଣେ ସଫଳ ପ୍ରେମିକ ହେଉଛନ୍ତି ରାଜନିତୀର ଚର୍ଚ୍ଚିତ ଚେହେରା ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ପ୍ରତିଷ୍ଠାତା ନୀତୀଶ କୁାମର । ପ୍ରେମ ବିବାହ ନୁହେଁ ବରଂ ପାରମ୍ପରିକ ବିବାହ ପରେ ନୀତୀଶ ଦେଇଥିଲେ ସଚ୍ଚା ପ୍ରେମର ପ୍ରମାଣ । ନୀତୀଶଙ୍କ ପ୍ରେମ କାହାଣୀ ତାଙ୍କ ରାଜନୈତିକ ଜୀବନ ପରି ବେଶ ରୋଚକ ।
ସିୟୋଡା ଗ୍ରାମର କୃଷ୍ଣନନ୍ଦନ ସିହ୍ନା ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଝିଅ ମଞ୍ଜୁ ସିହ୍ନାଙ୍କ ସହ ତାଙ୍କର ବିବାହ ସ୍ଥିର ହୋଇଥିଲା । ସେତେବେଳେ ମଞ୍ଜୁ ପାଟନା ମଗଧ ମହିଳା କଲେଜରେ ସମାଜବିଜ୍ଞାନ ବିଭାଗର ଛାତ୍ରୀ ଥିଲେ । ଉଭୟ ପରିବାରର ସହମତିରେ ୧୯୭୩ ମସିହାରେ ଏହି ବିବାହ ସମ୍ପନ୍ନ ହୋଇଥିଲା । ନୀତୀଶ ସେତେବେଳେ ବିନା ଯୌତୁକରେ ବିବାହ କରିବାକୁ ପରିବାର ନିକଟରେ ଇଚ୍ଛା ପ୍ରକାଶ କରିଥିଲେ । ମାତ୍ର ନୀତୀଶଙ୍କ ପରିବାର ଯୌତୁକ ଆକାରରେ କିଛି ଟଙ୍କା ନେଇଥିଲେ । ଏକଥା ଜାଣିବା ମାତ୍ରେ ନୀତୀଶ ଏହାକୁ ତୀବ୍ର ବିରୋଧ କରିଥିଲେ । ଯୌତୁକ ଟଙ୍କା ଫେରସ୍ତ ପାଇଁ ସେ ଚାପ ପକାଇଥିଲେ । ଫଳରେ ଉକ୍ତ ଟଙ୍କା ଫେରସ୍ତ ସହ ବିନା ଯୌତୁକରେ ଏହି ବିବାହ ସମ୍ପନ୍ନ ହୋଇଥିଲା ।
ନୀତୀଶଙ୍କ ଘନିଷ୍ଠ ରାଜନୈତିକ ସହଯୋଗୀ ପ୍ରେମ କୁମାର ମଣି କୁହନ୍ତି,‘‘ମଞ୍ଜୁ ସିହ୍ନା ଖୁବ ସଚ୍ଚୋଟ ମହିଳା ଥିଲେ । ସ୍ବାମୀ ନୀତୀଶ ମୁଖ୍ୟମନ୍ତ୍ରୀ ଥିବା ସତ୍ତ୍ବେ ମଧ୍ୟ ସେ ଶିକ୍ଷକତା ଛାଡି ନଥିଲେ । ସେ କେବେ କୌଣସି ସରକାରୀ ସୁବିଧା ବ୍ୟବହାର କରୁନଥିଲେ । ସ୍ୱାମୀ ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ୱେ, ସେ ପାଦରେ ଚାଲି ଚାଲି ସ୍କୁଲକୁ ଯାଉଥିଲେ । ମଞ୍ଜୁ କେବେ ବି ମୁଖ୍ୟମନ୍ତ୍ରୀ ଭାବେ ସ୍ବାମୀଙ୍କ ପଦବୀ ଏବଂ ପ୍ରତିଷ୍ଠାକୁ ବ୍ୟବହାର କରୁନଥିଲେ । ନୀତିଶ କୁମାର ମଧ୍ୟ ମଞ୍ଜୁଙ୍କ ଏହି ସ୍ବାଭିମାନୀ ମାନସିକତା ଓ ସାଧାରଣ ଜୀବନଶୈଳୀକୁ ବେଶ ପ୍ରଶଂସା କରୁଥିଲେ ।
କିଛି ଅସୁସ୍ଥତା ପରେ ୨୦୦୭ରେ ମଞ୍ଜୁଙ୍କ ଦେହାନ୍ତ ହୋଇଥିଲା । ବରିଷ୍ଠ ସାମ୍ବାଦିକ ଅରୁଣ ପାଣ୍ଡେଙ୍କ କହିବା ଅନୁସାରେ, ଏଥିରେ ନୀତୀଶଙ୍କୁ ବେଶ ଭାବପ୍ରବଣ ଅବସ୍ଥାରେ ଦେଖା ଯାଇଥିଲା । ପତ୍ନୀଙ୍କ ଅନ୍ତିମ ସଂସ୍କାରରେ ଖୁବ କାନ୍ଦିଥିଲେ ନୀତୀଶ । ନିଜେ ପତ୍ନୀ ମଞ୍ଜୁଙ୍କ କୋକେଇକୁ ସେ ଶ୍ମଶାନ ପର୍ୟ୍ୟନ୍ତ କାନ୍ଧରେ ନେଇଥିଲେ । ପତ୍ନୀଙ୍କ ଅବର୍ତ୍ତମାନରେ ମଧ୍ୟ ତାଙ୍କ ପ୍ରତି ନୀତୀଶଙ୍କ ପ୍ରେମ କମିନଥିଲା । ମଞ୍ଜୁଙ୍କ ସ୍ମୃତିରେ ରାଜଧାନୀ ପାଟନାର ରାଜେନ୍ଦ୍ର ନଗରରେ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି ।
ନୀତୀଶ କୁମାର ମଞ୍ଜୁଙ୍କ ପ୍ରତ୍ୟେକ ଜନ୍ମ ଓ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେବାକୁ କେବେ ଭୁଲନ୍ତି ନାହିଁ । ୭୦ ଦଶକରେ ଭାରତୀୟ ପରମ୍ପରା ଅନୁସାରେ, ପାରିବାରିକ ସହମତିରେ ହୋଇଥିବା ବିବାହ, ପରେ ଲମ୍ବା ଦାମ୍ପତ୍ୟ ଜୀବନ ଓ ମୃତ୍ୟୁ ପରେ ପତ୍ନୀଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ଭଲପାଇବା ନୀତିଶଙ୍କ ପ୍ରେମ କାହାଣୀର ଏକ ବଳିଷ୍ଠ ଝଲକ୍ ।