ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏକ ଅଣ ବିଜେପି ମେଣ୍ଟ ଗଠନ ପାଇଁ ଆରମ୍ଭ ହୋଇଥିବା ପ୍ରୟାସ ମୁତାବକ ଆଜି ବିହାରର ପାଟନାରେ ପ୍ରଥମ ବୈଠକ ସମାପ୍ତ ହୋଇଛି | ବୈଠକ ସରିବା ପରେ ବିହାର ମୁଖ୍ୟମନ୍ତ୍ରୀ ତଥା ବୈଠକର ସଂଯୋଜକ ନୀତିଶ କୁମାର ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ବୈଠକରେ ଆଲୋଚନା ଫଳପ୍ରଦ ହୋଇଛି । ସମସ୍ତେ ଏକାସାଥିରେ ଚାଲିବାକୁ ସହମତ ହୋଇଛନ୍ତି । ଏହାସହ ଏନେଇ ଆଗାମୀ ବୈଠକ ମଲ୍ଲିକାର୍ଜୁନ ଖଡଗେଙ୍ଗ ଅଧ୍ୟକ୍ଷତାରେ ଆଗାମୀ ମାସରେ ହେବ ।
କେବଳ ଏତିକି ନୁହେଁ ନୀତିଶ କୁମାର ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ଯେଉଁଦଳ କେନ୍ଦ୍ର ଶାସନରେ ଅଛି ସେ ଦେଶହିତରେ କାମ କରୁନାହିଁ । ହେଲେ କେନ୍ଦ୍ର ସରକାର ଯେଉଁ କାମ କରୁଛନ୍ତି ତାହାକୁ ନେଇ ଦେଶବାସୀ ଚିନ୍ତାରେ ଅଛନ୍ତି । ଏହି କ୍ରମରେ ଯଦି କୌଣସି ରାଜ୍ୟ କିଛି ଚ୍ୟାଲେଞ୍ଜର ସାମ୍ନା କରେ ତେବେ ସମସ୍ତ ବିରୋଧୀ ସେହି ରାଜ୍ୟ ସରକାରଙ୍କ ସହ ମଳିତ ଭାବେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ।
ଆଗାମୀ ବୈଠକ କିଛିଦିନ ପରେ ସବୁ ବିରୋଧୀଦଳଙ୍କୁ ନେଇ ହେବ ବୋଲି କହିଛନ୍ତି ନୀତିଶ କୁମାର | ତେବେ ଆଗାମୀ ବୈଠକରେ କିଏ କେଉଁଠି ଲଢିବ ତାହାକୁ ନେଇ ନିଷ୍ପତ୍ତି ହେବ । ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି କି ଜୁଲାଇ ୧୦ କିମ୍ବା ୧୨ ତାରିଖରେ ସିମଲା ଠାରେ ପୁଣି ଏକ ବୈଠକ ଅନୁଷ୍ଠିତ ହେବ ।