କମାଣ୍ଡୋ ରାକେଶ୍ୱରଙ୍କୁ ଅପହରଣ, ଆଲୋଚନା ପାଇଁ ପ୍ରସ୍ତୁତ ମାଓବାଦୀ

0

(ବିଜାପୁର): ଛତିଶଗଡର ବିଜାପୁରରେ ଘଟିଥିବା ଆକ୍ରମଣ ଘଟଣାରେ ନକ୍ସଲମାନେ ଏକ ପ୍ରେସ ରିଲିଜ ଜାରି କରିଛନ୍ତି । ଯେଉଁଥିରେ ନିଖୋଜ କମାଣ୍ଡୋ ରାକେଶ୍ୱରଙ୍କ ଅପହରଣ ହେବାର ସୁରାଗ ମିଳିଛି। ସେମାନଙ୍କ ପାଖରେ କମାଣ୍ଡୋ ରାକେଶ୍ୱର ସୁରକ୍ଷିତ ରହିଥିବା ସହ ତାଙ୍କୁ ଛାଡିବାକୁ ନକ୍ସଲମାନେ ସରକାରଙ୍କ ଆଗରେ ସର୍ତ୍ତ ରଖିଛନ୍ତି। ସର୍ତ୍ତରେ ଉଲେଖ୍ୟ ରହିଛି ଯେ ସରକାର ସଚ୍ଚୋଟ ହୋଇ କଥାବାର୍ତ୍ତା ହୁଅନ୍ତି ତେବେ ଆମେ ମଧ୍ୟ କଥା ହେବୁ। ସରକାର କିନ୍ତୁ ଏହା ନ କରି ହମଲା କରିବା ପାଇଁ କ୍ୟାମ୍ପ ଗଠନ କରି ଭୁଲ ନିଷ୍ପତି ଗ୍ରହଣ କରୁଛି । ଏତେ ସଂଖ୍ୟକ ପୋଲିସ ମୃତ୍ୟୁବରଣ କରିବା ପଛରେ ସରକାର ଦାୟୀ। ତେବେ ଆଲୋଚନା ପାଇଁ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାମ ଘୋଷଣା କରିବାକୁ ଆହ୍ବାନ ଦିଆଯାଇଛି। ଆଲୋଚନା କରିବା ପରେ ଆମେ କମାଣ୍ଡୋଙ୍କୁ ଛାଡ଼ିବୁ କି ନାହିଁ ବିଚାର କରିବୁ ବୋଲି ପ୍ରେସ ରିଲିଜ୍‌ରେ କହିଛନ୍ତି। ଏଥିସହ ସୁରକ୍ଷାକର୍ମୀଙ୍କ ଠାରୁ ମାଓବାଦୀମାନେ ଛଡ଼ାଇ ନେଇଥିବା ବନ୍ଧୁକ ଓ ଗୁଳିଗୋଳାର ଫଟୋ ମଧ୍ୟ ସାର୍ବଜନୀନ କରିଛନ୍ତି। ଉକ୍ତ ଫଟୋରେ ୧୪ଟି ବନ୍ଧୁକ, ୨୦୦୦ରୁ ଅଧିକ ଗୁଳି, ୮ରୁ ୧୦ଟି ୱାକିଟକି ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି। ଗୁଳିରେ ମାଓବାଦୀମାନେ ୨୦୨୧ ପିଏଲଜିଏ ମଧ୍ୟ ଲେଖିଛନ୍ତି।

ସୂଚନାଯୋଗ୍ୟ, ଶନିବାର ଛତିଶଗଡ଼ର ବିଜାପୁର-ସୁକମା ସୀମାନ୍ତରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ କମାଣ୍ଡୋ ରାକେଶ୍ୱର ନାମକ ସୁରକ୍ଷାକର୍ମୀ ନିଖୋଜ ଥିଲେ। ସେ ଅପହରଣ ହୋଇଥିବା ପ୍ରେସ ରିଲିଜ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ମାଓବାଦୀ ।