ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଲେଫ୍ଟନାଣ୍ଟ ଗର୍ଭର୍ଣ୍ଣର ବା ଉପରାଜ୍ୟପାଳ ଭାବେ ବିନୟ କୁମାର ସାକ୍ସେନାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତ କରିଛନ୍ତି । ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ପୂର୍ବତନ ଉପରାଜ୍ୟପାଳ ଅନିଲ ବୈଜଲ ଇସ୍ତଫା ଦେବା ପରେ ବିନୟଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଛି । ଗତ ସପ୍ତାହରେ ଅନିଲ ବୈଜଲଙ୍କ ସହିତ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ମତଭେଦ ଘଟିଥିଲା । ଏହାପରେ ବୈଜଲ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିବା ଚର୍ଚ୍ଚା ହେଉଥିଲା । ସେ ତାଙ୍କ ଇସ୍ତଫାପତ୍ରରେ ରାଜ୍ୟ ସରକାରଙ୍କ ବିରୋଧରେ କୌଣସି ଟିପ୍ପଣୀ ଦେଇନଥିବା ବେଳେ ବ୍ୟକ୍ତିଗତ ସମସ୍ୟା ପାଇଁ ସେ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି ।