ଆଜି ଲଞ୍ଚ କରିଛି ସ୍ୱଦେଶୀ ଯୁଦ୍ଧପୋତ ‘ବିନ୍ଧ୍ୟଗିରି’ । ଏହି ନୌସେନା ଯୁଦ୍ଧପୋତକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୁମକୁମ ଲଗାଇବା ସହ ନଡିଆ ଭାଙ୍ଗି ଫୁଲମାଳ ପିନ୍ଧାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହା ସହ ଏହି ଯୁଦ୍ଧ ପୋତର ନାମକରଣ ମଧ୍ୟ କରିଛନ୍ତି । ଏହି ଯୁଦ୍ଧପୋତ ନିର୍ମାଣକାରୀଙ୍କୁ ଶୁଭକାମନା ଜଣାଇଛନ୍ତି ରାଷ୍ଟ୍ରପତି । ଜଣେ ପ୍ରତିରକ୍ଷା ଅଧିକାରୀଙ୍କ କହିବା ମୁତାବକ, ରାଷ୍ଟ୍ରପତି ହୁଗଳି ନଦୀ କୂଳରେ ଥିବା ‘ଗାର୍ଡେନ୍ ରିଚ୍ ସିପବିଲ୍ଡର୍ସ ଇଞ୍ଜିନିୟର୍ସ ଲିମିଟେଡ୍’ (GRSE) କେନ୍ଦ୍ରରେ ଭାରତୀୟ ନୌସେନାର ‘ପ୍ରୋଜେକ୍ଟ ୧୭ ଅଲଫା’ ଅଧୀନରେ ନିର୍ମିତ ଷଷ୍ଠ ନୌସେନା ଯୁଦ୍ଧପୋତ ‘ବିନ୍ଧ୍ୟଗିରି’କୁ ଲଞ୍ଚ୍ କରିଛନ୍ତି। ଏହାଦ୍ୱାରା ଭାରତର ସାମୁଦ୍ରିକ ଶକ୍ତି ଆହୁରି ବୃଦ୍ଧି ପାଇବ। ଏହି ପ୍ରକଳ୍ପ ଅଧୀନରେ ମୋଟ ୭ଟି ଯୁଦ୍ଧପୋତ ନିର୍ମାଣ ହେବ, ଯେଉଁଥିରେ ‘ବିନ୍ଧ୍ୟଗିରି’ ଷଷ୍ଠ ଯୁଦ୍ଧପୋତ। ପୂର୍ବରୁ ୫ ଯୁଦ୍ଧପୋତର ଜଳାବତରଣ ୨୦୧୯ରୁ ୨୦୨୨ ମଧ୍ୟରେ ହୋଇସାରିଛି।