ଭୁବନେଶ୍ୱର : ଆଜିଠୁ ବିଧାନସଭାର ବଜେଟ ଅଧିବେଶନ | ବଜେଟ ଅଧିବେଶନ ପୂର୍ବରୁ ଆରମ୍ଭ ହେଲା ବିଜେଡି ବିଧାୟକ ଦଳ ବୈଠକ | ବିଧାନସଭା ୫୪ ନମ୍ବର କକ୍ଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିଛି । ବିରୋଧୀଙ୍କୁ ଗୃହରେ କାଉଣ୍ଟର ପାଇଁ ହେବ ରଣନୀତି | ବିରୋଧୀ ଦଳ ନେତା ମହିଳା ଥାନାଧିକାରୀଙ୍କୁ ମାଡ଼ ମାରିବା, କେନ୍ଦ୍ର ଅବହେଳା, କେନ୍ଦ୍ର ବଜେଟରେ ଚାଷୀଙ୍କ ଅନୁଦାନ ୭ ପ୍ରତିଶତ ହ୍ରାସ ପରି ପ୍ରସଙ୍ଗରେ ବିରୋଧୀଙ୍କୁ ଘେରିବ ବିଜେଡି । ଗତକାଲି ବିଜେପି ବିଧାୟକ ଦଳ ବୈଠକ ବସିଥିବା ବେଳେ କଂଗ୍ରେସ ମଧ୍ୟ ନିଜ ରଣନୀତି ପ୍ରସ୍ତୁତ କରିଛି ।
ତେବେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ । ୨୪ରେ ଆସିବ ବଜେଟ । ଗୃହକୁ ସୁଚାରୁ ରୂପେ ଚଳାଇବାକୁ ସବୁ ଦଳର ନେତାଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି । ସର୍ବଦଳୀୟ ବୈଠକରେ ୧୫ଟି ପ୍ରସଙ୍ଗରେ ଆଲୋଚନା ହୋଇଛି । କୌଣସି ବିଧାୟକ ଚାହିଁଲେ ଭିଡିଓ କନଫରେନସିଂରେ ବିଧାନସଭା ସହ ଯୋଡ଼ି ହୋଇପାରିବେ । ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜିଠୁ ମାର୍ଚ୍ଚ ୧ ତାରିଖ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଦର୍ଶକ ଗ୍ୟାଲେରୀରେ ବସିବାକୁ ସାଧାରଣ ଲୋକଙ୍କୁ ଅନୁମତି ମିଳିବ । ଦୁଇ ପର୍ଯ୍ୟାୟରେ ବଜେଟ ଅଧିବେଶନ ଚାଲିବା ନେଇ ସୂଚନା ଦିଆଯାଇଛି ।