ଭୁବନେଶ୍ୱର/ ସରୋଜ ରାଉତ: ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନରେ ବିଜେଡିର ବିଜୟକୁ ନେଇ ବିଜେଡି ଶିବିରରେ ଉତ୍ସାହର ମାହୋଲ । ଏହି ବିଜୟରେ ଚଳିତ ଥର ବିଜେଡି କର୍ମକର୍ତ୍ତାଙ୍କ ଭୂମିକା ଗୁରୁତ୍ୱ ବହନ କରୁଛି । ବିଜେଡି ଦଳ ଗଠନଠାରୁ ଏପର୍ଯ୍ୟନ୍ତ ଯେତେ ୫ଟି ନିର୍ବାଚନ ଓ ଉପନିର୍ବାଚନ ହୋଇଛି ସବୁଠିକୁ ମୁଖ୍ୟମନ୍ତ୍ରୀ ଏକାଧିକ ବାର ଯାଇ ପ୍ରଚାର କରିଥାନ୍ତି । କିନ୍ତୁ ଏହି ଦୁଇ ଉପନିର୍ବାଚନ ବିନା ନବୀନ ପ୍ରଚାରରେ ଅନୁଷ୍ଠିତ ହୋଇଛି । ଅବଶ୍ୟ ଭର୍ଚ୍ୟୁଆଲ ମିଡିଆରେ ନବୀନ ଉଭୟ ଆସନ ପାଇଁ ସ୍ୱଳ୍ପ କାଳୀନ ପ୍ରଚାର କରିଥିଲେ କିନ୍ତୁ ମଇଦାନକୁ ପ୍ରତ୍ୟକ୍ଷଭାବେ ଓହ୍ଲାଇ ନ ଥିଲେ । ତେଣୁ କର୍ମକର୍ତ୍ତାଙ୍କ ମଧ୍ୟରେ ଦେଖାଦେଇଥିଲା ବିଜୟକୁ ନେଇ ସନ୍ଦେହ । କିନ୍ତୁ ବିନା ନବୀନଙ୍କ ପ୍ରଚାରରେ ମଧ୍ୟ ଦଳ ବିଜୟ ହାସଲ କରିପାରେ ତାହା ଏହି ଦୁଇ ଉପନିର୍ବାଚନରୁ ସ୍ପଷ୍ଟ ହୋଇଛି ।
ତେବେ ଏହି ବିଜୟ ସମ୍ଭବ ହୋଇଛି ବିଜେଡିର କିଛି ଯୁବ ନେତୃତ୍ୱଙ୍କ ପାଇଁ । ଏହି ଯୁବ ନେତୃବୃନ୍ଦ ନିର୍ବାଚନ ତାରିଖ ଘୋଷଣ।।ଠାରୁ ଉଭୟ ସ୍ଥାନରେ ଡେରା ପକାଇବା ସହ ଦଳର ବିଜୟ ପାଇଁ ପ୍ରାଣପ୍ରଣେ ଚେଷ୍ଟା କରିଥିଲେ । ଉଭୟ ସ୍ଥାନରେ ଭୋଟରଙ୍କୁ ବ୍ୟକ୍ତିଗତଭାବେ ଭେଟି ଭୋଟ ଭିକ୍ଷା କରିଥିଲେ । । ସେହି ଆଗଧାଡିର ବିଜେଡି ନେତାଙ୍କ ମଧ୍ୟରେ ପ୍ରଥମରେ ନାମ ଆସୁଛି ଏଲିନା ଦାଶ, ଅମରେଶ ଜେନା, ମନ୍ଦାକିନୀ କର, ଶୈଳେଶ ଡାନି । ଏହି ଯୁବ ନେତୃତ୍ୱଙ୍କୁ ନିକଟରେ ବିଭିନ୍ନ ପଦରେ ଦଳ ନିଯୁକ୍ତ କରିଥିଲା । ଏଲିନାଙ୍କୁ ଦଳର ମହାସଚିବ କରାଯାଇଥିବା ବେଳେ ଅମରେ. ମନ୍ଦାକିନୀ, ଶୈଳେଶଙ୍କୁ ସାଧାରଣ ସମ୍ପାଦକ, ଯୁଗ୍ମ ସମ୍ପାଦକ ଦିଆଯାଇଥିଲା ।
ବରିଷ୍ଠ ନେତୃତ୍ୱଙ୍କ ନେତା ଚୟନ ଓ ପଦପଦବୀ ବଣ୍ଟନକୁ ନେଇ ସେ ସମୟରେ ଦେଖାଦେଇଥିବା ଦ୍ୱନ୍ଦ୍ୱ ଓ ଦଳ ମଧ୍ୟର ସମସ୍ତ ବିରୋଧରେ ଏହି ଦୁଇ ଉପନିର୍ବାଚନର ଫଳାଫଳ ପୂର୍ଣ୍ଣଛେଦ ଆଣିଛି । ଉପନିର୍ବାଚନରେ ଏହି ଯୁବ ନେତାଙ୍କ ପରିଶ୍ରମ ପାଇଁ ଦଳ ଆଜି ବିଜୟର ସ୍ୱାଦ ଚାଖିଛି । ଏହି ୪ ନେତାଙ୍କୁ ଦେଖିବାକୁ ମିଳିଥିଲା ନିର୍ବାଚନୀ ମଇଦାନରେ । ପ୍ରତିକୂଳ ପାଗ, ସମୟ ସୀମା, ଶାରୀରିକ କ୍ଲାନ୍ତି ଏପରିକି ଘର ପରିବାରକୁ ଭୁଲି ଏହି ୪ ଯୁବନେତା ଦିନ ରାତି ନିର୍ବାଚନ ପ୍ରଚାରରେ ଲାଗି ପଡିଥିଲେ । କେଉଁଠି ସାଇକେଲ ରାଲି କରି ତ ପୁଣି କେଉଁଠି ଲୋକଙ୍କୁ ଏକଜୁଟ କରି ଏମାନେ ଦଳର ଆଭିମୁଖ୍ୟ, ସ୍ଥାନୀୟ ଅଞ୍ଚଳ ପାଇଁ ଦଳର ମୁଦ୍ଦାକୁ ଉପସ୍ଥାପନ କରିଥିଲେ । ପିଲା ପରିବାରକୁ ଛାଡି ନିପଟ ଗାଁରେ ପ୍ରାୟ ୨ ମାସ ସମୟ କାଟିଥିଲେ । ଭୋଟରଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସେମାନଙ୍କ ସମସ୍ୟା ବୁଝିବା ସହ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ନବୀନଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ବିନା ଏହି ଯୁବ ନେତାଙ୍କ ଦଳ ପ୍ରତି ନିଷ୍ଠା ଓ ପରିଶ୍ରମ ପାଇଁ ଆଜି ବିଜେଡି ବିଜୟର ସ୍ୱାଦ ଚାଖିଛି । ଏହାକୁ ନେଇ ଦଳରେ ଏମାନଙ୍କୁ ନେଇ ଚାଲିଛି ଚର୍ଚ୍ଚା । ସୁପ୍ରିମୋ ମଧ୍ୟ ଦଳର ଆଗାମୀ ବିଧାୟକ, ମନ୍ତ୍ରୀଙ୍କୁ ପାଇ ଖୁସି ଥିବା ଶୁଣିବାକୁ ମିଳୁଛି । ଦଳ ଉପଯୁକ୍ତ ନେତାଙ୍କ କାନ୍ଧରେ ଦେଖି ଦଳୀୟ କର୍ମୀଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଆଶ୍ୱସ୍ତ ଥିବା ଶୁଣାଯାଉଛି ।