ଭୁବନେଶ୍ୱର-: ପହଲଗାମ ଆକ୍ରମଣ ପରେ ଭାରତ ‘ଅପରେସନ ସିନ୍ଦୁର’ ମାଧ୍ୟମରେ ପାକିସ୍ତାନ ଉପରେ ଉଚିତ୍ ପ୍ରତିଶୋଧ ନେଇଛି । ପାକିସ୍ତାନ ଏବଂ ପିଓକେ ଉପରେ ଆକ୍ରମଣ କରି ୯ଟି ଆତଙ୍କବାଦୀ ଶିବିରକୁ ଧ୍ବଂସ କରିଦେଇଛି ଭାରତ । ତେବେ ଭାରତୀୟ ସେନାର ’ଅପରେସନ ସିନ୍ଦୁର’କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ ଭାରତୀୟ ସେନାର ପଦକ୍ଷେପକୁ ପ୍ରଶଂସା କରିବା ସହ ଭାରତୀୟ ସେନାକୁ ଅଭିନନନ୍ଦନ ଜଣାଇଛନ୍ତି ।
ଭାରତ ପାଇଁ ଗର୍ବର ମଙ୍ଗଳବାର ରାତି । ରାତି ଅଧିଆ ‘ଅପରେସନ ସିନ୍ଦୁର’ ଜରିଆରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ସାରା ଦେଶ ରାତିରେ ଅଚିନ୍ତାରେ ଶୋଇଥିବା ବେଳେ ଶତ୍ରୁପକ୍ଷକୁ ଉଚିତ୍ ଜବାବ ଦେଇଛି ଭାରତୀୟ ସେନା । ଭାରତ, ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରି ବାୟୁସେନା ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି ।