(ରିପୋର୍ଟସ ଟୁଡ଼େ): ୨୮ ତାରିଖରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରାଉ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯିବ । ରାଜ୍ୟ ସରକାରଙ୍କ ଯୁବମାରଣ ନୀତିର ପ୍ରତିବାଦ ତଥା ବେକାର ଯୁବକ, ଯୁବତୀଙ୍କୁ ରୋଜଗାର ଯୋଗାଇବା ଦାବିରେ ବିଜେପି ଯୁବ ମୋର୍ଚ୍ଚା ରାସ୍ତାକୁ ଓହ୍ଲାଇବ ।
ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ କହିଥିଲେ, ଦୀର୍ଘ ୧୯ ବର୍ଷ ଧରି ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଇଛି। ଓଡ଼ିଶାର ଯୁବକ, ଯୁବତୀମାନଙ୍କୁ ନିଯୁକ୍ତି ନ ଦେଇ ନିଯୁକ୍ତି ମେଳା ନାଁରେ ରାଜ୍ୟ ସରକାର ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ ରାଜ୍ୟର ବିକାଶକୁ ନେଇ ଡିଣ୍ଡିମ ପିଟୁଥିଲା ବେଳେ ଅନ୍ୟ ପଟେ ଯୁବକମାନେ ଏଠାରେ କାମ ନ ପାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି।