( ସଂଜୁକ୍ତା): ଓଡିଆ ଭାଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାଠଗଡାକୁ ଟାଣିଛି ବିଜେପି । ସାରା ଦେଶରେ ନବୀନ ପଟ୍ଟନାୟକ ଜଣେ ବ୍ୟତିକ୍ରମ । ଯିଏକି ଶାସକ ହୋଇ ଶାସିତର ଭାଷା ବୁଝିପାରିନାହାନ୍ତି । ଆଜି ପବିତ୍ର ସତ୍ୟବାଦୀ ମାଟିକୁ ଯାଇଛନ୍ତି ସେଠାରେ ସଂକଳ୍ପ ନିଅନ୍ତୁ ଆଜିଠାରୁ ସେ ଓଡିଆ ଭାଷାରେ କଥା ହେବେ ବୋଲି ଏପରି ଆହ୍ୱାନ ଦେଇଛନ୍ତି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ନବୀନ ଏକ ବ୍ୟତିକ୍ରମ । ମାତୃଭାଷା ପ୍ରତି ତାଙ୍କର ସମ୍ମାନ ନାହିଁ । ବହୁତ ହେଇଗଲା। ୧୮ ବର୍ଷ ରାଜ୍ୟ ଶାସନ କ୍ଷମତାରେ ରହିଲେ ଓଡିଆ ଭାଷା ଶିଖିପାରିଲେ ନାହିଁ । ୬ ମାସରେ ଲୋକମାନେ ଓଡିଆ କହିପାରୁଥିବା ବେଳେ ରାଜ୍ୟ ମୁଖ୍ୟମନ୍ତ୍ରୀ ଓଡିଆ ନକହିପାରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଶ୍ୱଭୂଷଣ ।
ସେହିପରି ପାଇକବିଦ୍ରୋହର ଦୁଇଶହ ବର୍ଷ ପୂର୍ତି ଅବସରରେ ବରୁଣେଇ ପୀଠରେ ସ୍ମାରକୀ ପାଇଁ ୩୦ ଏକର ଜମି ଯୋଗାଇ ଦେବାପାଇଁ କେନ୍ଦ୍ର ସଂସ୍କୁତି ମନ୍ତ୍ରୀ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ଚିଠି ଲେଖିଲେ ମଧ୍ୟ ରାଜ୍ୟ ସରକାର ଦୃଷ୍ଟି ନଦେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ । ମୁଖ୍ୟମନ୍ତ୍ରୀଙ୍କର ଜାତିକଥା ଚିନ୍ତାନାହିଁ । ଆଜି ଆରମ୍ଭ ହେଉଥିବା ୟୁନିଭରସିଟି କେବେ ଆରମ୍ଭ ହେବ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିବା ସହ ଓଡିଆ ଭାଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଶ୍ୱଭୂଷଣ ।