ଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ନିର୍ବାଚନ ଆୟୋଗ ଓ ସିଏଜି କେନ୍ଦ୍ରିୟ ସଂସ୍ଥା ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) କୁ ପୂର୍ଣ୍ଣ ସ୍ୱାଧିନତା ଦିଆଯିବା ନେଇ ଆଜି ମାଡ୍ରାସ ହାଇକୋର୍ଟ ମନ୍ତବ୍ୟ ଦେଇଛନ୍ତି । ବିପକ୍ଷ ସିବିଆଇକୁ ବିଜେପିର ଏକ ରାଜନୈତିକ ଅସ୍ତ୍ରଭାବେ ଆରୋପ ଲଗାଇଛନ୍ତି । କୋର୍ଟ ୧୨ଟି ପଏଣ୍ଟ ଆଧାରରେ ସିବିଆଇକୁ ସ୍ୱାଧିନତା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛି ।
୨୦୧୩ କୋଇଲା ଆବଣ୍ଟନ କ୍ଷେତ୍ରରେ ହୋଇଥିବା ଦୁର୍ନିତୀ ସମୟରେ ସବିଆଇର ଯାଞ୍ଚ ପ୍ରକ୍ରିୟାକୁ ନେଇ କୋର୍ଟ ପଞ୍ଜୁରୀ ଭିତରର ଶୁଆ କହି ଆକ୍ଷେପ କରିଥିଲେ । ସେହି ସମୟରେ ବପକ୍ଷରେ ଭୂମିକା ନିର୍ବାହ କରୁଥିବା ବିଜେପି ମଧ୍ୟ ସିବିଆଇକୁ କଂଗ୍ରେସ ନିୟନ୍ତ୍ରିତ କରୁଥିବା ଅଭିଯୋଗ କରିଥିଲା ।
ଜଷ୍ଟିସ ଏନ୍ କିରୁବାକରଣ ଏବଂ ବି ପୁଗଲେନ୍ଧିଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଯେତେବେଳେ କୌଣସି ବଡ଼ ଘଟଣା ଘଟେ, କିମ୍ୱା ସେଭଳି ଅପରାଧ ହୁଏ ସେଠାରେ ପୁଲିସକୁ ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଏ। ହେଲେ ମାମଲା ଗମ୍ଭୀର ହୋଇଥିଲେ ସିବିଆଇ ହିଁ ତଦନ୍ତ କରିପାରିବ ବୋଲି ଲୋକଙ୍କର ଭରସା ଥାଏ। ହେଲେ ଦୁଃଖର କଥା ଏହା ଯେ ସିବିଆଇ ଏବେ ନିଜ ଗୋଡରେ କୁରାଢୀ ମାରୁଛି। ଯେତେବେଳେ ସିବିଆଇ ତଦନ୍ତ ଦାବି ହେଉଛି ସେତେବେଳେ ସିବିଆଇ ପାଖରେ କର୍ମଚାରୀ ବା ମାନବ ସମ୍ୱଳର ଅଭାବ ରହୁଛି। ତେଣୁ ସେମାନେ ଠିକ୍ ଭାବରେ ତଦନ୍ତ କରିପାରୁ ନାହାନ୍ତି। ସିବିଆଇ ଏଭଳି ଗତାନୁଗତିକ ପ୍ରତିକ୍ରିୟା କୋର୍ଟରେ ରଖୁଛି ବୋଲି ମାଡ୍ରାସ ହାଇକୋର୍ଟ କହିଛନ୍ତି।
ସିବିଆଇ ପାଇଁ ଏକ ସ୍ୱତନ୍ତ୍ର ବଜେଟ୍ ଆବଣ୍ଟନ ପାଇଁ କେନ୍ଦ୍ର ସରକାରଙ୍କୁ କୋର୍ଟ ପକ୍ଷରୁ ପରାମର୍ଶ ଦିଆଯାଇଛି। ନିଯୁକ୍ତି ଉପରେ ସିବିଆଇ ନିର୍ଭର କରିବା ପରିବର୍ତ୍ତେ ସିବିଆଇ ପାଇଁ ଏକ ଉତ୍ସର୍ଗୀକୃତ କ୍ୟାଡର ରହିବା ଉଚିତ ବୋଲି କୋର୍ଟ କହିଛନ୍ତି। ସେହିଭଳି ସିବିଆଇକୁ ଫୋରେନସିକ୍ ସାଇନ୍ସ ଲ୍ୟାବ ସହିତ ପାଣ୍ଠି ଯୋଗାଇ ଦେବା ଭଳି ବ୍ୟବସ୍ଥା କରିବା ଦରକାର ବୋଲି କୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୩ରେ କୋଇଲା ଦୁର୍ନୀତି ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ସିବିଆଇକୁ ‘ପଞ୍ଜୁରୀ ଭିତରର ଶୁଆ’ ବୋଲି କହିଥିଲେ। ସେତେବେଳେ ବିରୋଧୀ ଆସନରେ ଥିଲା ବିଜେପି। କଂଗ୍ରେସ ସିବିଆଇକୁ ମନ ଇଚ୍ଛା ବ୍ୟବହାର କରୁଥିଲା ବୋଲି ବିଜେପି ଅଭିଯୋଗ କରୁଥିଲା। ହେଲେ ଦୀର୍ଘ ୬ ବର୍ଷ ହେବ ବିଜେପି କ୍ଷମତାରେ ରହିଛି। କିନ୍ତୁ ସିବିଆଇ ସେଭଳି କିଛି ସ୍ୱତନ୍ତ୍ର ସ୍ୱାଧୀନତା ପାଇନାହିଁ। ବିରୋଧୀ କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ ଏବେ ସିବିଆଇକୁ ବିଜେପିର ‘ରାଜନୀତିକ ଅସ୍ତ୍ର’ ବୋଲି କହୁଛନ୍ତି।