ଭୁବନେଶ୍ୱର: ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ । ଗୋପ ବ୍ଲକ ୧୧ ନମ୍ବର ଜୋନ ଜିଲ୍ଲାପରିଷଦ ଆସନ ଉପନିର୍ବାଚନରେ ବିଜେଡିକୁ ଲାଗିଛି ଶକ୍ତ ଝଟକା । ଜିଲ୍ଲା ପରିଷଦର ଜୋନ୍ ୧୧ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଫଳାଫଳ ଗୁରୁବାର ଘୋଷଣା କରାଯାଇଛି। ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରମୋଦ କୁମାର ରାୟ ବିଜୟୀ ହୋଇଛନ୍ତି । ୧୭୬ ଖଣ୍ଡ ଅଧିକ ଭୋଟ ପାଇ ବିଜେପି ବିଜୟୀ ।ବିଜେପି ପ୍ରାର୍ଥୀ ପ୍ରମୋଦ ରାୟ ୧୮୩ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ପୂର୍ବତନ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଯୋଗୁ ଏହି ଉପନିର୍ବାଚନ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ନିମାପଡ଼ା ନିର୍ବାଚନମଣ୍ଡଳୀର ଗୋପ ବ୍ଲକ୍ ଅନ୍ତର୍ଗତ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରମୋଦ କୁମାର ରାୟ ୧୧,୨୪୦ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଭାଗିରଥୀ ସେନାପତିଙ୍କୁ ୧୭୬ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ କରିଛନ୍ତି। ପୂର୍ବତନ ବିଜେଡି ଜିଲ୍ଲାପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ରହସ୍ୟଜନକ ମୃତ୍ୟୁ ପରେ ଖାଲି ପଡିଥିଲା ଆସନ। ସାହୁଙ୍କ ମୃତ୍ୟୁକୁ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ନେଇ ବିବାଦ ଲାଗି ରହିଥିଲା। ଶାସକ ବିଜେଡିକୁ ପଛରେ ପକାଇ ବିରୋଧୀ ବିଜେପି ନିର୍ବାଚନରେ ବିଜୟୀ ହୋଇଛି। ବିଜେଡିର ଶ୍ରୀ ସେନାପତିଙ୍କୁ ୧୧୦୬୪ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ୧୦୨୪ଖଣ୍ଡ, ଅଶୋକ କୁମାର ଦାସଙ୍କୁ ୩୫ ଖଣ୍ଡ, ଅଜୟ କୁମାର ଭଟ୍ଟଙ୍କୁ ୯ ଖଣ୍ଡ, ବିଶ୍ୱଜିତ୍ ମହାନ୍ତିଙ୍କୁ ୫୮ ଖଣ୍ଡ, ସୁବାସ ଚନ୍ଦ୍ର ଜେନାଙ୍କୁ ୨୩ ଖଣ୍ଡ ଓ ଲକ୍ଷ୍ମୀପ୍ରିୟା ଦାସଙ୍କୁ ୯୯ ଖଣ୍ଡ ଭୋଟ୍ ମିଳିଛି।