ଗୋପ/ଜୟନ୍ତ କୁମାର ସେଠୀ: ରାଜ୍ୟରେ ଦଳିତ ପରିବାର ଉପରେ ଚାଲିଥିବା ଆକ୍ରମଣ ଓ ଦବଙ୍ଗଗିରୀ ପ୍ରତିବାଦରେ ଜିଲ୍ଲା ବିଜେପି ଅନୁସୂଚିତ ଜାତି ଓ ଦଳିତ ମୋର୍ଚ୍ଚା ପକ୍ଷରୁ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି। କେନ୍ଦ୍ରାପଡା ଆଳି ନିର୍ବାଚନ ମଣ୍ଡଳୀର ନବକିଶୋର ମଲ୍ଲିକଙ୍କ ପୁତ୍ର ତାଙ୍କ ପଞ୍ଚାୟତରେ ନରେଗା, ପ୍ରଧାନମନ୍ତ୍ରୀ ଆବାସ, ପାଇଖାନା ଇତ୍ୟାଦି ଉନ୍ନତିମୂଳକ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ କରିଥିଲେ ।
ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ସରପଞ୍ଚ ତାଙ୍କର ସମର୍ଥକଙ୍କ ସହ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଏନେଇ ଥାନାରେ ଅଭିଯୋଗ ହେବାପରେ ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ପୁଲିସ୍ ପକ୍ଷରୁ ଗ୍ରହଣ କରାଯାଇନାହିଁ। ସେପଟେ ନାଉଗାଁ ରେ ମଧ୍ୟ ଦଳିତ ମହିଳା ମାନଙ୍କୁ ବିଜେଡି କର୍ମୀ ଆକ୍ରମଣ କରିବା ସହ ସମ୍ବିଧାନ ପ୍ରଣେତା ବାବାସାହେଵ ଆମ୍ବେଦକରଙ୍କ ଫଟୋ ମଧ୍ୟ ତଳେ ପକାଇ ଦଳାଚକଟା କରିଥିଲେ। ଯାହାକି ତାଙ୍କ ପ୍ରତି ଘୋର ଅସମ୍ମାନ। ସେଠାରେ ମଧ୍ୟ ପୋଲିସ୍ ନୀରବଦ୍ରଷ୍ଟା ସାଜିଥିବା ବେଳେ ଏପର୍ୟ୍ୟନ୍ତ କାହାରି ଉପରେ କାର୍ୟ୍ୟାନୁଷ୍ଠାନ ନେଇନାହି। ଏହାର ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଘଟଣାର ତୀବ୍ର ନିନ୍ଦା କରି ତୁରନ୍ତ କାର୍ୟ୍ୟାନୁଷ୍ଠାନ ଦାବି କରାଯାଇଛି।