ବିଜେପିର ଶସ୍ତା ରାଜନୀତିକୁ ନେଇ ଚର୍ଚ୍ଚା

0

ଭୁବନେଶ୍ୱର/ରାଜେଶ ସାହୁ: ନିର୍ବାଚନ ସମୟରେ ମନେ ପଢନ୍ତି ନିର୍ବାଚନ ଅଧିକାରୀ । ସେ ନିର୍ବାଚନ ହେଉ ବା ଉପନିର୍ବାଚନ, ପିଲିଲି ହେଉ ବା ବାଲେଶ୍ୱର, ସବୁଠି ବିଜେପିର ତମାମ ବଡବଡ ନେତା ଓ ନେତ୍ରୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାଙ୍କ କାର୍ଯାଳୟରେ ଦେଖିବାକୁ ମିଳେ । ଛୋଟରୁ ବଡ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ନେଇ ଶାସକ ଦଳକୁ ଘେରାଉକରେ ରାଜ୍ୟ ବିଜେପି । କେତେ ବେଳେ ପୋଷ୍ଟରକୁ ନେଉ ତ ଆଉ କେତେବେଳେ ସୋସିଆଲ ମିଡିଆର ପୋଷ୍ଟକୁ ନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ ଦେବାକୁ ପଛାନ୍ତି ନାହିଁ । କେମିତି ନିଜ ଦଳ ଓ ନିଜର ଚେହେରାକୁ ମିଡିଆରେ ଦେଖାଇବେ ସେନେଇ ବିଜେପି ଫୁଲ୍ ଦମରେ ଅଭିଯୋଗକୁ ଅସ୍ତ୍ର କରି ଦିନକୁ ଏକାଧିକବାର ଧାଏଁ ନିର୍ବାଚନ ଅଧିକାରୀଙ୍କ ଦପ୍ତରକୁ ।

କିନ୍ତୁ ଆଜି ବିଜେପି ସେହି ନିର୍ବାଚନ ଅଧିକାରୀଙ୍କ ନାମରେ ଆଣିଛି ସଙ୍ଗୀନ ଅଭିଯୋଗ । ଓଡିଶା ନିର୍ବାଚନ ଅଧିକାରୀଙ୍କୁ ବିଜେପି ସମାଲୋଚନା କରିବା ସହ ରାଜ୍ୟ ସରକାରଙ୍କ ଇଙ୍ଗିତରେ କାମ କରୁଥିବା ଅଭିଯୋଗ କରିିଛି । ଏମିତି କି ନିର୍ବାଚନ ଅଧିକାରୀ ଦୁଇ ଦୁଇଟି ପୋଷ୍ଟରେ କେମିତି କାମ କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ବିଜେପିର ଏହି ପ୍ରଶ୍ନକୁ ନେଇ ଚର୍ଚ୍ଚା । ଲୋକେ ପଚାରୁଛନ୍ତି, ବିଜେପି କଣ ଆଗରୁ ଏସମ୍ପର୍କରେ ଅବଗତ ନ ଥିଲା? କିଛି ମାସ ପୂର୍ବରୁ ବାଲେଶ୍ୱର ଉପନିର୍ବାଚନ ହୋଇଥିଲା । ସେତେବେଳେ କାହିଁ ଏହି ପ୍ରଶ୍ନକୁ ନେଇ ମୁହଁ ଖୋଲି ନଥିଲା ବିଜେପି? ଏବେ ଏଭଳି ଅଭିଯୋଗ କାହିଁକି ଆଣିଲା ସେନେଇ ଉଠିଛି ପ୍ରଶ୍ନ?

ତେବେ ବାସ୍ତବତା ଭିନ୍ନ । ବିଜେପି ଗୋଟିଏ ତୀରରେ ଦୁଇଟି ଶିକାର କରିବାକୁ ଚାହୁଁଛି । ନିର୍ବାଚନ ଗୋଟି ଚଳାଇ ବିଜେପି ତା ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛି । ଏବେ ରାଜ୍ୟ ସରକାର ମଦ ଦୋକାନ ଲାଇସେନ୍ସ ପାଇଁ ଲଟରୀ ସିଷ୍ଟମ ଆରମ୍ଭ କରିବାକୁ ଯାଉଛନ୍ତି । ଏହାକୁ ନେଇ ବିଜେପିର କିଛି ଟାଣୁଆ ନେତା ଅଡୁଆରେ । କାରଣ ବିଜେପିର କିଛି ଟାଣୁଆ ନେତାଙ୍କର ପିପିଲିରେ ମଦ ଭାଟି ଓ ଦୋକାନ ରହିଛି । ଯଦି ଲଟେରୀ ସିଷ୍ଟମ କରାଯାଏ ତେବେ ହୁଏତ ହାତରୁ ଲାଇସେନ୍ସ ଚାଲିଯିବ, ଏହି ଚିନ୍ତା ଘାରିଛି ବିଜେପି ନେତାଙ୍କୁ । ତେଣୁ ନିର୍ବାଚନକୁ ଆୟୁଧ କରି ନିର୍ବାଚନ ଅଧିକାରୀଙ୍କ ଉପରେ ହେଉଛି ଆକ୍ରମଣ କି ସେ ଦୁଇ ଦୁଇଟି ପଦବୀରେ ରହିଛନ୍ତି । ଅବକାରୀ ବିଭାଗ ତାଙ୍କ ଅଧୀନରେ ଥିବାରୁ ସେ ପିପିଲି ନିର୍ବାଚନ ସମୟରେ ମଦ ବନ୍ୟା ସୃଷ୍ଟି କରିବେ ଓ ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କରି ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବେ ବୋଲି ଅଭିଯୋଗ ଆଣୁଛି ବିଜେପି । ବିଜେପିର ଏହି ଅଭିଯୋଗକୁ ଲୋକେ ଶସ୍ତା ରାଜନୀତି ବୋଲି କୁହାକୁହି ହେଉଛନ୍ତି ।

ତେବେ ବିଜେପିର ଏହି ଫନ୍ଦି କେତେ ଦୂର ବିଜେପିକୁ ସୁହାଇବ ତଥା ଏହା ଦ୍ୱାରା କାହାର ଲାଭ ହେବ କହିବା ମୁସକିଲ । ହେଲେ ରାଜନୀତିର ଜାଲ ଭିତରେ ଫୁଲ୍ ଛନ୍ଦି ହେଲେଣି ନିର୍ବାଚନ ଅଧିକାରୀ ବୋଲି ଚର୍ଚ୍ଚା ହେଉଛି । ବିଜେପିର ଏହି ରାଜନୀତି ଚାଲ ମଦଭାଟି ବଞ୍ଚାଇବାରେ କେତେ ଫଳପଦ ହେବ ଓ ନିର୍ବାଚନରେ କେତେ ଲାଭ ଦେବ ବିଜେପିକୁ ତାହା ନିର୍ବାଚନ ପରେ ଜଣାଯିବ ।