ଚାଲନ୍ତୁ ବୁଲି ଯିବା ଓଡିଶାର ଦ୍ୱିତୀୟ ଅର୍କକ୍ଷେତ୍ର

0

( ଭୁବନେଶ୍ୱର / ରିପୋର୍ଟସଟୁଡେ): ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡିଶାର ଗଞ୍ଜାମ ଜିଲ୍ଲା । ଏଠାକୁ ଥରେ ବୁଲି ଆସିଲେ ବହୁ ଜାଗା ଭ୍ରମଣ କରିପ୍ରକୃତିକୁ ପାଖରୁ ଦେଖିବାର ସୁଯୋଗ ପାଇପାରିବେ । ଏଥିପାଇଁ ନିଜ ବ୍ୟସ୍ତବହୁଳ ଜୀବନରୁ ଥରେ ସମୟ ବାହାର କରି ପରିବାର ବା ସାଙ୍ଗସାଥୀଙ୍କ ସହ ଗଞ୍ଜାମ ଜିଲ୍ଲା ଭ୍ରମଣ କରନ୍ତୁ।
କ’ଣ ଦେଖିବେ ?
ଏହି ଅବସରରେ ଆପଣ ବିଲୋପ ହେବାକୁ ଥିବା କୃଷ୍ଣସାର ମୃଗ ଦେଖିପାରିବେ। ଏହି ପ୍ରଜାତିର ହରିଣ ସମଗ୍ର ଦେଶରେ ବିଲୋପ ହେବାକୁ ବସିଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାର ଭେଟନଇ ଏବଂ ବୁଗୁଡ଼ା ଆଦି ଅଞ୍ଚଳରେ ଦେଖିବାକୁ ମିଳୁଛନ୍ତି। ସେହିଭଳି ଗଞ୍ଜାମର ଐତିହାସିକ ସହର ବୁଗୁଡ଼ାରେ କାଠର କୋଣାର୍କ ବିରଞ୍ଜି ନାରାୟଣ ମନ୍ଦିର ବୁଲି ଦେଖିପାରିବେ। ଏହାର କାରୁକାର୍ୟ୍ୟ ଏପରି ହୋଇଛି ଯେ, ନିର୍ମାଣର ୩୫୦ ବର୍ଷ ପରେ ମଧ୍ୟ ଏହା ଖୁବ୍‌ ଆକର୍ଷଣୀୟ ଦେଖାଯାଉଛି। ଏହାକୁ ଓଡ଼ିଶାର ଦ୍ୱିତୀୟ ଅର୍କକ୍ଷେତ୍ର ବୋଲି କୁହାଯାଏ।
ଦେଖନ୍ତୁ ବିଲୁପ୍ତ ପ୍ରାୟ କୃଷ୍ଣସାର ମୃଗ
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରଠାରୁ ଆସ୍କା ଦେଇ ଗଲେ ଆପଣ ଭେଟନଇ ଅଞ୍ଚଳକୁ ଯାଇପାରିବେ। ସେଠାରେ ଆପଣ ଯାହା ଦେଖିବେ ତାହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ୟ୍ୟ କରିଦେବ। କାରଣ ସେଠାକୁ ଗଲେ ଆପଣ ଦେଖିବାକୁ ପାଇବେ ଗଞ୍ଜାମର ଗୌରବ ଏବଂ ଗର୍ବର ପ୍ରତୀକ କୃଷ୍ଣସାର ମୃଗ ବା ବାଲିହରିଣ ବା ବ୍ଲାକ୍‌ ବ୍ଲକ୍‌। ସାରା ଦେଶରେ ଏହି ପ୍ରାଣୀ ପ୍ରାୟ ଲୋପ ପାଇବାକୁ ବସିଛନ୍ତି।
ଏଠାକୁ ଥରେ ଆସିଲେ କିଛି ସମୟ ଛିଡା ହୋଇ ମନଭରି ହରିଣଙ୍କୁ ଦେଖିବାକୁ ଇଚ୍ଛା ହେବ। ଆପଣ ଏଠାରେ ସୁନ୍ଦର ଏବଂ ଦଳ ଦଳ ହୋଇ ବୁଲୁଥିବା କୃଷ୍ଣସାର ମୃଗ ଦେଖିବାକୁ ପାଇବେ। ଆଉ ସବୁଠୁ ଆଶ୍ଚର୍ୟ୍ୟର କଥା ହେଲା ଏହି ମୃଗ଼ମାନଙ୍କୁ କେହି ଶିକାର କରନ୍ତି ନାହିଁ। ସ୍ଥାନୀୟ ଜନସାଧାରଣ ସରକାରଙ୍କୁ ସହଯୋଗର ହାତ ବଢ଼ାଇ ଏହି ବିରଳ ପ୍ରଜାତିର ସଂରକ୍ଷଣ ପାଇଁ ଉଦ୍ୟମ କରୁଛନ୍ତି। ଆଉ ମୃଗମାନଙ୍କୁ ଆପଣ ଦେଖିଲେ ଜାଣି ପାରିବେ ଯେ, ସେମାନେ ଯେପରି ମଣିଷଙ୍କ ସହ ଏକାଠି ବସବାସ କରୁଛନ୍ତି। ଆପଣ ସେଠାରେ ଜଙ୍ଗଲ ଭିତରେ ବା ବାହାରେ ମଧ୍ୟ ଏହି ବ୍ଲାକ୍‌ ବକ୍‌ମାନେ ବୁଲୁଥିବାର ଦେଖିବାକୁ ପାଇବେ।
ପ୍ରତି ବ୍ଲାକ୍‌ବକ୍‌ ଦଳରେ ଗୋଟିଏ ମାତ୍ର ଅଣ୍ଡିରା ହରିଣ ରହିଥାଏ। ଆଉ ଯଦି କେହି ଅଣ୍ଡିରା ହରିଣ ଆସି ସେହି ଦଳରେ ପ୍ରବେଶ କରିବାକୁ ଚେଷ୍ଟା କରେ ତାହାଲେ, ସେଠାରେ ସେମାନଙ୍କ ମଧ୍ୟରେ ଲଢ଼େଇ ହୋଇଥାଏ। କେବଳ ଅଣ୍ଡିରା ହରିଣମାନଙ୍କ ଦେହ କଳା ଏବଂ ଧଳା ରଙ୍ଗର। ଆଉ ଅନ୍ୟ ସବୁ ହରିଣମାନଙ୍କ ରଙ୍ଗ ଧଳା ଏବଂ ମାଟିଆ ରଙ୍ଗର ହୋଇଥାଏ।