କୋଇଡା/ ନଗେଶ ଚନ୍ଦ୍ର ପାଢ଼ୀ : ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ବ୍ଲକ ସ୍ତରୀୟ ଯତରା ମହୋତ୍ସବ ୨୦୨୫ ସ୍ଥାନୀୟ ବେଣୁଧର ନାଏକ ଖେଳ ପଡିଆଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। କୋଇଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରେଖା ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ର ସମସ୍ତ ପ୍ରକାର ଆୟୋଜନ କରାଯାଇଥିଲା। ମହୋତ୍ସବରେ ଅତିଥି ମାନେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଛାତ୍ରଛାତ୍ରୀ ତଥା ସ୍ଥାନୀୟ କଳାକାର ଦଳକୁ ନେଇ ଏକ ପଦଯାତ୍ରା କୋଇଡାରେ କରାଯାଇଥିଲା । ଆସନ୍ତା ଜାନୁଆରୀ ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଥିବା ସୁନ୍ଦରଗଡ଼ ଜିଲ୍ଲା ଯତରା ମହୋତ୍ସବକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ବ୍ଲକରେ ଏହି ବ୍ଲକ ସ୍ତରୀୟ ଯତରା ମହୋତ୍ସବ ପାଳନ କରାଯାଉଛି । ପ୍ରତି ପଞ୍ଚାୟତ ସ୍ତରରେ ଥିବା ପଞ୍ଜିକୃତ ଚୟନ କଳାକାର ମାନଙ୍କୁ ଏହି ମହୋତ୍ସବରେ ସେମାନଙ୍କ କଳାର ପ୍ରତିଭାକୁ ପରୀକ୍ଷା କରି ଚୟନ କରାଯିବା ସହିତ ଜିଲ୍ଲା ମହୋତ୍ସବକୁ ନିଜ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ପଠାଇବା ଏହି ମହୋତ୍ସବର ଆଭିମୁଖ୍ୟ । କୋଇଡା ବ୍ଲକର ୧୫ ଗୋଟି ପଞ୍ଚାୟତରୁ ବଛା ବଛା କଳାକାର ଦଳ ଏହି ବ୍ଲକ ସ୍ତରୀୟ ଯତରା ମହୋତ୍ସବରେ ଅଂଶ ଗ୍ରହଣ କରିଥିଲେ। ଏହା ବ୍ୟତୀତ ଓଡିଶା ସରକାରଙ୍କ ବିଭିନ୍ନ ଲୋକ ହିତକର ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇବା ସହ କଳାକାରଙ୍କ କଳା ପ୍ରଦର୍ଶନରେ ପରିବେଶ ଉତ୍ସବମୁଖର ହୋଇ ଉଠିଥିଲା। ଏହି ଅବସରରେ ଯତରା ମହୋତ୍ସବ ଉପଲକ୍ଷେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗି ମାନଙ୍କୁ ଅତିଥିଙ୍କ ଦ୍ୱାରା ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା।