ବ୍ଲୋଗ ଆଳରେ ପୁରୀ ସହର ବିଷୟରେ ଦେଇଛନ୍ତି ଗୁପ୍ତ ତଥ୍ୟ !

0

ପୁରୀ-: ପାକିସ୍ତାନକୁ ଦେଶର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା । ହରିୟଣାରେ ହିସାର ପୋଲିସ ତାଙ୍କୁ ଗିରଫ କରିଛି । ତେବେ ଚର୍ଚ୍ଚାର ବିଷୟ ହେଉଛି ଗତ ୨୦୨୪ ନଭେମ୍ବର ମାସରେ ଜ୍ୟୋତି ମାଲହୋତ୍ରା ପୁରୀ ଭ୍ରମଣ କରିବାକୁ ଆସିଥିଲେ ।‌ ଜଗନ୍ନାଥ ମନ୍ଦିର ଦର୍ଶନ ସହିତ ପୁରୀ ସମୁଦ୍ର କୂଳରେ ଏବଂ ସହରର ବିଭିନ୍ନ ଅଞ୍ଚଳରେ ବୁଲାବୁଲି କରୁଥିବାର ଦୃଶ୍ୟ ନିଜ ୟୁଟ୍ୟୁବରେ ଅପଲୋଡ଼ କରିଛନ୍ତି । ଏଥିସହିତ ସେ ପୁରୀର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲୁଥିବାର ଭିଡିଓ ଅପଲୋଡ଼ ହୋଇଛି ।‌ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି । ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ପୁରୀ ସହର ବିଷୟରେ କିଛି ଗୁପ୍ତ ତଥ୍ୟ ଦେଇଥିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଗିରଫ ହୋଇଥିବା ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସହିତ ପୁରୀର ପ୍ରିୟଙ୍କା ସେନାପତି ନାମ୍ନୀ ଯୁବତୀଙ୍କ ଲିଙ୍କ୍‌ ରହିଛି । ଏହା ଜଣାପଡ଼ିବା ପରେ ଗୁଇନ୍ଦା ବିଭାଗ ଏବଂ ପୁରୀ ପୋଲିସ ମିଳିତ ଭାବେ ତାଙ୍କୁ ଜେରା କରିଛନ୍ତି । ପ୍ରିୟଙ୍କା ଜ୍ୟୋତିଙ୍କ ସହିତ ପାକିସ୍ତାନ ଯାଇଥିବା ଜେରାରୁ ଜଣାପଡ଼ିଛି ।

ଅନ୍ୟପଟେ ପୁରୀ ୟୁଟ୍ୟୁବର ପ୍ରିୟଙ୍କା ସେନାପତି ନିଜ ଇନଷ୍ଟାଗ୍ରାମରେ ସ୍ପଷ୍ଟୀକରଣ ରଖି କହିଛନ୍ତି, “ଜ୍ୟୋତିଙ୍କୁ ୟୁଟ୍ୟୁବ ଜରିଆରେ ଜାଣିଥିଲି । ସେ କେବଳ ମୋର ଜଣେ ବନ୍ଧୁ । ମୁଁ ଜ୍ୟୋତିଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ କିଛି ଜାଣିନି । ଗୁଇନ୍ଦାଗିରି କରୁଥିବା କଥା ଜାଣିଥିଲେ ତାଙ୍କ ସହ କେବେ ସମ୍ପର୍କରେ ଆସି ନଥାଆନ୍ତି । କଣ୍ଟେଣ୍ଟ କ୍ରିଏସନ୍ ଜରିଆରେ ଜ୍ୟୋତିଙ୍କୁ ଜାଣିଥିଲି । ଏବେ ତାଙ୍କ ବିଷୟରେ ଜାଣି ମୁଁ ଆଶ୍ଚର୍ଯ୍ୟଚକିତ । କୌଣସି ଏଜେନ୍ସି ମୋତେ ନେଇ ଯଦି ତଦନ୍ତ କରିବେ, ମୁଁ ପୂର୍ଣ୍ଣ ସହଯୋଗ କରିବି ।”