ଭୁବନେଶ୍ୱର : ଆଜି ଓଡ଼ିଆ ପକ୍ଷ ପାଳନର ଅଷ୍ଟମ ଦିବସ- ରକ୍ତଦାନ ଅଭିଯାନ ଦିବସ। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କରେ ରକ୍ତଦାନ ଅଭିଯାନ ଶିବିରର ଆୟୋଜନ କରାଯାଇଛି। ରକ୍ତଦାନ ଶିବିରରେ ଲୋକମାନେ ବହୁମାତ୍ରାରେ ଯୋଗଦେଇ ଆଜିର ଏହି ରକ୍ତଦାନ ଅଭିଯାନକୁ ସଫଳ କରିଛନ୍ତି।
ସୂଚନା ଅନୁଯାୟୀ, ଆମ ରାଜ୍ୟ ଓଡ଼ିଶାର ଭାଷା, ସାହିତ୍ୟ, କଳା, ସଂସ୍କୃତି, ଇତିହାସ, ଐତିହ୍ୟ, ନୃତ୍ୟ, ସଂଗୀତ, ପରମ୍ପରା ଆଦି ହେଉଛି ସମୃଦ୍ଧ ଏବଂ ଏହାକୁ ନେଇ ଆମେ ଗର୍ବିତ । ଏହାର ସଂରକ୍ଷଣ କରିବା ସହ ବହୁଳ ପ୍ରଚାର ଓ ପ୍ରସାର ମାଧ୍ୟମରେ ଆମ କଳା, ସାହିତ୍ୟ ଓ ସଂସ୍କୃତି ଆଦିକୁ ବିଶ୍ୱ ବିଦିତ କରାଇବା ହେଉଛି ଆମର କର୍ତ୍ତବ୍ୟ।
ଓଡ଼ିଆ ଅସ୍ମିତାର ବାର୍ତ୍ତା ବହନ କରୁଥିବା ଆମର ଏହି ସଂସ୍କୃତି ଓ ପରମ୍ପରାକୁ ମହାଆଡ଼ମ୍ବରର ସହକାରେ ପାଳନ କରିବା ପାଇଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରିବା ନିମନ୍ତେ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆ ଯାଇଛି। ଦୀର୍ଘ ୧୪ ଦିନ ଧରି ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ (ରାଜ୍ୟ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ) ଆୟୋଜନ କରାଯିବା ପାଇଁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି।