କୋଭିଡ଼ ପାଇଁ ପ୍ରସ୍ତୁତ ରହିବାକୁ ଡାକ୍ତରଖାନାମାନଙ୍କୁ ନିର୍ଦ୍ଦେଶ ଦେଲା ବିଏମସି

0

ଭୁବନେଶ୍ୱର: ମଇ କିମ୍ବା ଜୁନ୍ ବେଳକୁ ଓଡିଶା ସମେତ ମହାନଗର ନିଗମ ଅଂଚଳରେ କୋଭିଡ ବ୍ୟାପିପାରେ । ସେଥିପାଇଁ ପ୍ରସ୍ତୁତ ରହିବାକୁ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଥିବା ସମସ୍ତ ଘରୋଇ ଓ ସରକାରୀ ଡାକ୍ତରଖାନାକୁ ନିର୍ଦେଶ ଦିଆଯାଇଛି । ବିଗତ ବର୍ଷଗୁଡିକ ଭଳି ଆଗାମୀ ଦିନରେ କିପରି ସଫଳତାର ସହ କୋଭିଡ ମୁକାବିଲା କରିହେବ, କମିଶନର ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ନିର୍ଦେଶ ଦେଇଛନ୍ତି । କୋଭିଡ ମୁକାବିଲା ନେଇ ଗତକାଲି ଭୁବନେଶ୍ୱର ମହାନଗର ନିଗମ (ବିଏମସି)ଏକାମ୍ର ହଲରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ କ୍ୟାପିଟାଲ ହସପିଟାଲର ସୁପରିଟେଣ୍ଡେଣ୍ଟ, ଏମ୍ସର ସୁପରିଟେଣ୍ଡେଣ୍ଟଙ୍କ ସମେତ ମହାନଗର ନିଗମ ଅଂଚଳରେ ଥିବା ସମସ୍ତ ପିଏଚସି, ସିଏଚସିର ମେଡିକାଲ ଅଫିସର, ଅଧିକାଂଶ ଘରୋଇ ଡାକ୍ତରଖାନାର ପ୍ରତିନିଧିମାନେ ଯୋଗଦେଇଥିଲେ । ମଇ କିମ୍ବା ଜୁନ୍ ମାସ ସୁଦ୍ଧା ଓଡିଶା ସମେତ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ କୋଭିଡ ବ୍ୟାପିବାର ସମ୍ଭାବନା ଥିବାରୁ ଏଥିପାଇଁ ପ୍ରସ୍ତୁତ ରହିବାକୁ ସମସ୍ତଙ୍କୁ କୁହାଯାଇଛି ।
ଆଜି ଠାରୁ ସମସ୍ତେ ପ୍ରସ୍ତୁତିର ମକଡ୍ରିଲ କରିବାକୁ ନିର୍ଦେଶ ଦିଆଯାଇଛି । ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ଟେଷ୍ଟିଂ ବୃଦ୍ଧି କରିବା ସହ କୋଭିଡ ସଂକ୍ରମିତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଓ୍ୱାର୍ଡ ପ୍ରସ୍ତୁତ କରିବାକୁ ନିର୍ଦେଶ ଦିଆଯାଇଛି । ଏପରିକି ପିଏଚସିରେ ଅତିକମରେ ୫ଟି ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରିବା ସହ ଅକ୍ସିଜେନ ମହଜୁଦ୍ ଥିବା ଗୋଟିଏ ସ୍ୱତନ୍ତ୍ର ବେଡ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ସେହିପରି ସିଏଚସିଗୁଡିରେ ଅତିକମରେ ୧୦ଟି ଆଇସୋଲେସନ ବେଡ ସହ ଅକ୍ସିଜେନ ପ୍ରସ୍ତୁତ ରଖିବେ । କ୍ୟାପିଟାଲ ହସପିଟାଲରେ ଅଧିକ ଆଇସିୟୁ ଓ ବେଡ୍ ପ୍ରସ୍ତୁତ ରଖାଯିବ । ଏପରିକି ବିଏମସି ହସପିଟାଲଗୁଡିକୁ ମଧ୍ୟ ପ୍ରସ୍ତୁତ କରି ରଖିବାକୁ ନିର୍ଦେଶ ଦେଇଛନ୍ତି କମିଶନର । ଆଜିଠାରୁ ପ୍ରତି ଡାକ୍ତରଖାନାରେ ମକଡ୍ରିଲ କରିବାକୁ କୁହାଯାଇଛି । କୋଭିଡ ଲକ୍ଷଣ ଥିବା ରୋଗୀଙ୍କୁ କେମିତି ଆଣିବ, ତାଙ୍କୁ ବେଡ ନିକଟକୁ କେମିତି ନେବ, ତାଙ୍କର ଚିକିତ୍ସା କେମିତି କରାଯିବ ଇତ୍ୟାଦି ସଂପର୍କରେ ମକଡ୍ରିଲ କରିବାକୁ କୁହାଯାଇଛି । ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ କେମିତି କାର୍ୟ୍ୟ କରିବେ ସେ ସଂପର୍କରେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରି ଜଣାଇବାକୁ କହିଛନ୍ତି ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ । ଜରୁରୀ କାଳୀନ ପରିସ୍ଥିତିରେ କିପରି ପରିଚାଳନା କରିବେ, ସେ ସଂପର୍କରେ ଅବଗତ କରାଇବାକୁ କୁହାଯାଇଛି । ଏହା ସାଙ୍ଗକୁ ସମସ୍ତ ସରକାରୀ ଏବଂ ବେସରକାରୀ ଚିକିତ୍ସାଳୟରେ ବର୍ଜ୍ୟବସ୍ତୁ ପୃଥକ କରିଦେବାକୁ ଗୁରୁତ୍ୱ ସହକାରେ କହିଛନ୍ତି ଶ୍ରୀ ସାହୁ ।
କୌଣସି କୋଭିଡ ରୋଗୀ ଆସିଲେ, ସେ ସଂପର୍କରେ ତୁରନ୍ତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି । ସାମାନ୍ୟ ଲକ୍ଷଣ ଥିଲେ ମଧ୍ୟ ସେମାନଙ୍କୁ ପରୀକ୍ଷା କରିବା ପାଇଁ ସମସ୍ତଙ୍କୁ ନିର୍ଦେଶ ଦିଆଯାଇଛି । କୋଭିଡ ପଜିଟିଭ ଚିହ୍ନଟ ହେଲେ ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯିବ । ମୁଖ୍ୟତଃ କ୍ୟାପିଟାଲ ହସପିଟାଲରେ ଟେଷ୍ଟିଂ ବୃଦ୍ଧି କରିବାକୁ ନିର୍ଦେଶ ଦିଆଯାଇଛି । ଏବେ କ୍ୟାପିଟାଲ ହସପିଟାଲରେ ଟେଷ୍ଟିଂ ଚାଲିଛି ଏବଂ ପ୍ରାୟ ୨୦ ଜଣଙ୍କଠାରେ ସାମାନ୍ୟ କୋଭିଡ ପଜିଟିଭ ଥିବା ଜଣାପଡିଛି । ତେବେ ଚଳିତ ବର୍ଷ କୋଭିଡ ଜନିତ ରୋଗରେ କାହାରି ମୃତ୍ୟୁ ହୋଇନାହିଁ କି କୌଣସି ରୋଗୀ ଗୁରୁତର ହୋଇ ନାହାଁନ୍ତି ବୋଲି କ୍ୟାପିଟାଲ ହସପିଟାଲ ପକ୍ଷରୁ କୁହାଯାଇଛି ।
ଅତିରିକ୍ତ ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅନ୍ତର୍ୟ୍ୟାମୀ ମିଶ୍ର ସରକାରୀ ଡାକ୍ତରଖାନାର ତତ୍ପରତା ପ୍ରକାଶ ପାଇବା ଏବଂ ଏଥିପାଇଁ ନିଜକୁ ପ୍ରସ୍ତୁତ ରଖିବା ନିମନ୍ତେ ବୁଝାଇଥିଲେ । ଅନ୍ତତଃପକ୍ଷେ ସ୍ୱଳ୍ପ ଲକ୍ଷଣ ଥିବା ରୋଗୀଙ୍କୁ କିପରି ରଖିହେବ ସେଥିପାଇଁ ପ୍ରସ୍ତୁତ ରହିବାକୁ କହିବା ସହିତ ପାରାମେଡିକ୍ସମାନଙ୍କୁ ଗୋଷ୍ଠୀ ସଚେତନତାରେ ନିୟୋଜିତ କରିବାକୁ ନିର୍ଦେଶ ଦେଇଛନ୍ତି । ସଂପ୍ରତି ମହାନଗର ନିଗମ ଅଂଚଳରେ ଜନ ସଚେତନତା କାର୍ୟ୍ୟକ୍ରମ କରିବାକୁ ମଧ୍ୟ କୁହାଯାଇଛି । ଏସଏଚଜି ଓ ସ୍ୱେଚ୍ଛାସେବୀ ସଂଗଠନଗୁଡିକୁ ନେଇ ବିଭିନ୍ନ ଅଂଚଳ ଓ ବସ୍ତିରେ ସଚେତନତା କରାଯିବ । ସବୁ ବସ୍ତି ଅଂଚଳରେ ସତର୍କ ନଜର ରଖିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି ।