ଗାଈଗୋରୁଙ୍କୁ ରାସ୍ତାକୁ ଛାଡିଲେ ଉଠାଇନେବ ବିଏମସି

0

ଭୁବନେଶ୍ୱର: ସହରକୁ ସୁରକ୍ଷିତ , ସ୍ୱଚ୍ଛ ସୁନ୍ଦର କରିବା ପାଇଁ ଭୁବନେଶ୍ୱର ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ବିଶେଷ କରି ସହରର ଟ୍ରାଫିକ ସମସ୍ୟାକୁ ସଜାଡିବା ପାଇଁ ଗାଈଗୋରୁଙ୍କ ଅବାଧ ବିଚରଣଙ୍କୁ ରୋକିବା ପାଇଁ ବିଏମ୍ସି କର୍ତ୍ତୃପକ୍ଷ ଏ ଦିଗରେ ଗୁରୁତ୍ୱ ଦେଇଛନ୍ତି।

ଏ ନେଇ ଶୁକ୍ରବାର ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ବୌଠକରେ ଏହି ନିଷ୍ପତ୍ତି ନେଇଛନ୍ତି । କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନକୁ କିମ୍ବା ରାସ୍ତାରେ ନିଜର ଗାଈଗୋରୁଙ୍କୁ ଛାଡ଼ିପାରିବେ ନାହିଁ। ଏହା ନାଗରିକଙ୍କ ଚଳପ୍ରଚଳ, ଯାନବାହନ ଯାତୟାତରେ ବାଧା, ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିବା ସହ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି। ଯାହା ସହରର ମାନଦଣ୍ଡକୁ କ୍ଷୁଣ୍ଣ କରୁଛି। ତେଣୁ ଜନହିତ ଦୃଷ୍ଟିରୁ ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଛି।

ଅନେକ ସମୟରେ ଦେଖାଯାଉଛି କି ରାସ୍ତାରେ ଅଧିକାଂଶ ଗାଈଗୋରୁ ବୟସ୍କ ଏବଂ ରୋଗାକ୍ରାନ୍ତ ହେଲେ ମାଲିକମାନେ ପରିତ୍ୟକ୍ତ ଅବସ୍ଥାରେ ସେମାନଙ୍କୁ ବାହାରକୁ ଛାଡ଼ିଦେଉଛନ୍ତି। ଯାହା ପରୋକ୍ଷରେ ଜନସାଧାରଣଙ୍କୁ ସମସ୍ୟାରେ ପକାଉଛନ୍ତି। ରାସ୍ତାରୁ ଉଠାଇ ନିଆଯାଇଥିବା ଗାଈଗୋରୁଙ୍କୁ ବିଭିନ୍ନ ଗୋଶାଳାରେ ରଖାଯିବ। ଯଦି କୌଣସି ବ୍ୟକ୍ତି ରାସ୍ତାରୁ ଧରାଯାଇଥିବା ଗାଈଗୋରୁଙ୍କୁ ନେବାକୁ କୁହନ୍ତି, ତେବେ ତାଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ। ଏପରିକି ତାଙ୍କର ନିଜସ୍ୱ ଗୁହାଳ ଅଛିକି ନାହିଁ ତାହା ମଧ୍ୟ ବିଚାର କରାଯିବ। ଏହି ଉଦ୍ଦେଶ୍ୟରେ ଶୁକ୍ରବାର ବ୍ରହ୍ମଗିରି, ଜଟଣୀ, ବେଗୁନିଆ ଇତ୍ୟାଦି ଗୋଶାଳାର କର୍ମକର୍ତ୍ତାଙ୍କୁ ଏହି ବୈଠକକୁ ଡକାଯାଇ ଆଲୋଚନା କରାଯାଇଥିଲା।

ଅତୀତରେ ବିଏମ୍ସି ଅଞ୍ଚଳରେ ପାଖାପାଖି ୮୦୦ରୁ ଅଧିକ ଗୋରୁଗାଈ ମାଲିକ ଅଛନ୍ତି ବୋଲି ସର୍ଭେରୁ ଜଣାପଡ଼ିଥିଲା। ଅନ୍ୟପକ୍ଷରେ ଦୁର୍ଘଟଣାରେ ଦୈନିକ ଏକାଧିକ ଗାଈଗୋରୁଙ୍କ ମୃତ୍ୟୁ ହେଉଛି। ପ୍ରତ୍ୟେକ ଛକ ମୁଖ୍ୟତଃ ରାତିରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିବା ନେଇ ସାଧାରଣ ଲୋକେ ବିଏମ୍ସି ନିକଟରେ ଅଭିଯୋଗ କରୁଛନ୍ତି। ବାରମ୍ବାର ଗାଈଗୋରୁ ମାଲିକମାନଙ୍କୁ ତାଗିଦା କରିବା ପରେ ମଧ୍ୟ ସେମାନେ ଗୁହାଳରେ ନ ରଖି ବାହାରକୁ ଛାଡ଼ି ଦେଉଛନ୍ତି। ଏଥିପାଇଁ ଗୋଶାଳା ପରିଚାଳକମାନେ ବିଏମ୍ସିକୁ ସହଯୋଗର ହାତ ବଢ଼଼ାଇଛନ୍ତି।