ରାଜଧାନୀ;ରାଜଧାନୀ ରାଜରାସ୍ତା କଡ଼ରୁ ଉଠାଦୋକାନୀମାନଙ୍କୁ ବିଏମ୍ସି ଉଚ୍ଛେଦ କରୁଥିବାରୁ ଗତ କିଛି ଦିନ ହେଲା ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ଆଜି ବିଏମ୍ସି ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ର ସେମିତି ଏକ ଘଟଣା ରାଜଧାନୀରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ରାସ୍ତାକଡ଼ରେ ଦହିବରା ବିକୁଥିବା ଜଣେ ବୁଲା ବେପାରୀଙ୍କୁ ନିର୍ଦୟ ବିଏମ୍ସି ସ୍କ୍ବାଡ୍ ମାଡ଼ ମାରିବା ସହ ଦହିବରା ହାଣ୍ଡିକୁ ରାସ୍ତାରେ ଗଡ଼ାଇଦେଇଛନ୍ତି। ୟୁନିଟ୍-୬ ଶଙ୍ଖଭବନ ନିକଟରେ ଘଟିଥିବା ଏହି ଘଟଣାକୁ ଉପସ୍ଥିତ ଲୋକେ ବିରୋଧ କରିଥିଲେ ହେଁ ବିଏମ୍ସି ସ୍କ୍ବାଡ୍ ଖାତିର କରିନଥିବା ଅଭିଯୋଗ ହୋଇଛି। ଜଣେ ନିରୀହ ବୁଲା ବେପାରୀଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ବହୁ ଲୋକ ସ୍ବର ଉଠାଇଛନ୍ତି। ଏନେଇ ବେପାରୀଜଣଙ୍କୁ ନେଇ କିଛି ଲୋକ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଛନ୍ତି। ଆଜି ପୂର୍ବାହ୍ଣରେ ଦହିବରା ବେପାରୀଜଣକ ରାସ୍ତାକଡ଼ରେ ବେପାରୁ କରୁଥିଲେ। ହଠାତ୍ ବିଏମ୍ସି ସ୍କ୍ବାଡ୍ ସେଠାରେ ପହଞ୍ଚିଥିଲା ଏବଂ ରାସ୍ତାକଡ଼ରୁ ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲା।
ସେତିକିବେଳେ କିଛି ଗରାଖ ଦହିବରା ଖାଉଥିଲେ। ତେଣୁ ବେପାରୀଜଣକ ଗରାଖମାନଙ୍କୁ ବିଦା କରିସାରି ସେଠାରୁ ପଳାଇବ ବୋଲି କହିଥିଲେ। ଏତିକି ମାତ୍ର କଥା। ଏଥିରେ ଉତ୍କ୍ଷିପ୍ତ ହୋଇପଡ଼ିଲେ ସ୍କ୍ବାଡ୍ର କର୍ମଚାରୀମାନେ। ବୁଲାବେପାରୀଜଣକ କଥା ନ ମାନିବା କହି ଆରମ୍ଭ କରିଦେଇଥିଲେ ଅତ୍ୟାଚାର। ପ୍ରଥମେ ତାଙ୍କୁ ଧକ୍କା ମାରି ସେଠାରୁ ତଡ଼ିଦେବାକୁ ଉଦ୍ୟମ କରିଥିଲେ। ବେପାରୀଜଣକ ଅଧିକ ନେହୁରା ହେଲେ ଏବଂ ବେପାର ବନ୍ଦ କରି ଯିବାକୁ ବାହାରିଲେ। ମାତ୍ର ସ୍କ୍ବାଡ୍ର ରାଗ ଶାନ୍ତ ହେଲା ନାହିଁ। ସେମାନେ ସାଇକେଲରୁ ଦହିବରା ହାଣ୍ଡିକୁ ଟାଣି ନେଇ ରାସ୍ତା ଉପରେ ଗଡ଼ାଇ ଦେଇଥିଲେ। ଦହିବରା ହାଣ୍ଡିକୁ ବଞ୍ଚାଇବାକୁ ବେପାରୀଜଣକ ଚେଷ୍ଟା କରିବାରୁ ସ୍କ୍ବାଡ୍ର ସଦସ୍ୟମାନେ ତାଙ୍କୁ ପୁଣି ମାଡ଼ ମାରିବା ଆରମ୍ଭ କରିଦେଇଥିଲେ।ବିଏମ୍ସି ସ୍କ୍ବାଡ୍ର ଏଭଳି ଦାଦାଗିରି ଉପସ୍ଥିତ ଗରାଖମାନଙ୍କୁ ବିଚଳିତ କରିପକାଇଥିଲା। ଜଣେ ନିରୀହ ବୁଲାବେପାରୀ ଉପରେ ବିଏମ୍ସି ସ୍କ୍ବାଡ୍ର ଅତ୍ୟାଚାରକୁ ସେମାନେ ବିରୋଧ କରି ନିଜ ନିଜ ମୋବାଇଲ୍ରେ ଭିଡିଓ ସୁଟ୍ କରିଥିଲେ। ଏଥିରେ ସ୍କ୍ବାଡ୍ର ସଦସ୍ୟମାନେ ଆହୁରି ରାଗି ଯାଇଥିଲେ। ଗରାଖମାନଙ୍କୁ କିଛି ନ କହି ସେମାନେ ଦହିବରା ବିକାଳିଙ୍କୁ ପୁଣି ପିଟିବା ସହ ସାଇକେଲ ଫୋପାଡ଼ି ଦେଇଥିଲେ।
ଏଥର ଗରାଖମାନେ ବିଏମ୍ସି ସ୍କ୍ବାଡ୍କୁ ବିରୋଧ କରିଥିଲେ। କିନ୍ତୁ ସ୍କ୍ବାଡ୍ର ବାହୁବଳୀ ସଦସ୍ୟମାନଙ୍କ ମାଡ଼କୁ ରୋକି ପାରିନଥିଲେ। ସେମାନେ ଦହିବରା ବିକାଳିଙ୍କୁ ତଳେ ପକାଇ ପିଟିଚାଲିଥିଲେ। ରାଗ ଶାନ୍ତ ହେବା ପରେ ସେମାନେ ପଳାଇଥିଲେ। ଗରାଖମାନେ ବେପାରୀଜଣଙ୍କୁ ନେଇ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାର ଭିଡିଓଟି ଭାଇରାଲ ହେବା ପରେ ରାଜଧାନୀରେ ବିଏମ୍ସିର ଅତ୍ୟାଚାରକୁ ନେଇ ଜୋର୍ଦାର ଚର୍ଚ୍ଚା ଚାଲିଛି। ଉଠାଦୋକାନୀମାନଙ୍କ ପ୍ରତି ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ ଉଠାଦୋକାନୀମାନଙ୍କୁ ବିନା ଥଇଥାନରେ ଉଚ୍ଛେଦ କରିବା ଉପରେ ପୂର୍ବରୁ କୋର୍ଟ ବିଏମ୍ସିକୁ ତାଗିଦ କରିଛନ୍ତି। କିନ୍ତୁ ବିଏମ୍ସି ସ୍କ୍ବାଡ୍ ଉପରେ ଏହାର କୌଣସି ପ୍ରଭାବ ପଡ଼ିବା ପରିଲକ୍ଷିତ ହେଉନାହିଁ। ଗରିବ ବେପାରୀଙ୍କ ଉପରେ ଦାଉ ସାଧୁଛି ବିଏମ୍ସି।